ଆସନ୍ତାବର୍ଷ ପୁରୁଣା ରୂପକୁ ଫେରିବ ଆଇପିଏଲ

ନୂଆଦିଲ୍ଲୀ : ନିଜର ପୁରୁଣା ରଙ୍ଗକୁ ଫେରିବ ଆଇପିଏଲ । ୨୦୨୩ ସଂସ୍କରଣରେ ଦଳଗୁଡିକ ନିଜର ଘରୋଇ ଗ୍ରାଉଣ୍ଡ ସହ ବିରୋଧୀ ଦଳ ପଡିଆରେ ମଧ୍ୟ ମ୍ୟାଚ ଖେଳିବ । କରୋନା ପୂର୍ବରୁ ଯେଉଁଭଳି ମ୍ୟାଚ ଆୟୋଜନ ହେଉଥିଲା ପୁଣି ଥରେ ମ୍ୟାଚଗୁଡିକ ସେହିପରି ଖେଳାଯିବ । ଏ ନେଇ ଫ୍ରାଞ୍ଚାଇଜିଗୁଡିକୁ ସୂଚିତ କରାଇ ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ୨୦୨୦ରେ କରୋନା କାରଣରୁ ଆଇପିଏଲରେ ୟୁଏଇରେ ଆୟୋଜନ କରାଯାଇଥିଲା ।

୨୦୨୧ରେ ଚାରୋଟି ସ୍ଥାନ ଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ ଏବଂ ଚେନ୍ନାଇରେ ଆୟୋଜନ କରାଯାଇଥିଲା । ଏବେ କରୋନା ପୂରା ନିୟନ୍ତ୍ରଣରେ ଥିବାରୁ ପୁଣି ଥରେ ଆଇପିଏଲ ପୁରୁଣା ଫର୍ମାଟରେ ଆୟୋଜନ ହେବ । ବିସିସିଆଇ ୨୦୨୦ ପରେ ପ୍ରଥମ ଥର ପୂର୍ଣ୍ଣ ଭାବେ ଘରୋଇ ସିରିଜ ଆୟୋଜନ କରିବ । ୧୦ଟି ଦଳ ନିଜର ଅଧା ମ୍ୟାଚ ଘରୋଇ ପଡିଆରେ ଏବଂ ଅଧା ବିରୋଧୀ ଦଳ ପଡିଆରେ ଖେଳିବ ।