ଲର୍ଡସରେ ଅବସର ନେବେ ଝୁଲଣ

କୋଲକାତା : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଭାରତୀୟ ମହିଳା କ୍ରିକେଟ ଟିମର ଅନ୍ୟତମ ଲୋକପ୍ରିୟ ଖେଳାଳି ଝୁଲଣ ଗୋସ୍ୱାମୀ । ଝୁଲଣ ଅବସର ନେବା କଥା ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଲଣ୍ଡନର ପ୍ରସିଦ୍ଧ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଝୁଲଣ ଖେଳିବେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ । ଏଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରିବେ ଝୁଲଣ ।

ଗତ ମାର୍ଚ୍ଚ ମାସରେ ନ୍ୟୁଜିଲ୍ୟାଣ୍ଡରେ ବିଶ୍ୱକପ ପରେ ଇଂଲଣ୍ଡ ଗସ୍ତ ପାଇଁ ଟିମକୁ ଫେରିଥିଲେ ଝୁଲଣ । ଗାଙ୍ଗୁଲି କହିଛନ୍ତି, ମୁଁ ଝୁଲଣଙ୍କ ପାଇଁ ବହୁତ ଖୁସି । ତାଙ୍କୁ ପାଖାପାଖି ୪୦ ବର୍ଷ ହେଲାଣି । ତାଙ୍କ କ୍ୟାରିୟର ବେଶ ସ୍ମରଣୀୟ । ତେବେ ପ୍ରତ୍ୟେକ ଖେଳାଳିଙ୍କୁ ଦିନେ ନା ଦିନେ ଏମିତି ନିଷ୍ପତ୍ତି ନେବାକୁ ହୁଏ । ଝୁଲଣ ଜଣେ ରୋଲ ମଡେଲ । ସେ ଲର୍ଡ୍ସରେ ତାଙ୍କ କ୍ୟାରିୟର ଶେଷ କରିବାକୁ ଯାଉଛନ୍ତି । ଆଉ ଲର୍ଡ୍ସରେ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବା ଏକ ସ୍ୱପ୍ନ । ଝୁଲଣ ୨୦୩ଟି ଦିନିକିଆ ମ୍ୟାଚ ଖେଳିଥିବା ବେଳେ ତାଙ୍କ ନାଁରେ ରହିଛି ସର୍ବାଧିକ ୱିକେଟ ନେବାର ବିଶ୍ୱରେକର୍ଡ । ସେ ୨୫୩ଟି ୱିକେଟ ନେଇଛନ୍ତି ।