ପାକ୍‌ ଆତଙ୍କୀ ଆଡ୍ଡା ଉପରେ ଇରାନର ଡ୍ରୋନ୍‌ ହମଲା

ଇସଲାମାବାଦ: ପାକିସ୍ତାନ ଭିତରେ ଆଡ୍ଡା ଜମାଇଥିବା ଏକ ଆତଙ୍କୀ ଗୋଷ୍ଠୀ ଉପରେ ଡ୍ରୋନ୍‌ ସାହାଯ୍ୟରେ ହମଲା କରିଛି ଇରାନ । ସୂଚନା ମୁତାବକ ମଙ୍ଗଳବାର ଦିନ ବାଲୁଚିରୁ ସାରା ଦୁନିଆରେ ଆତଙ୍କରାଜ ଚଳାଇଥିବା ଆତଙ୍କୀ ଗୋଷ୍ଠୀ ଜୈସ ଅଲ ଆଦିଲର ଦୁଇଟି ଠିକଣା ଉପରେ ହମଲା କରିଥିଲା ଇରାନ ।

ପାକ୍‌ ଆତଙ୍କୀ ଗୋଷ୍ଠୀ ଉପରେ ହମଲାକୁ ଯୁକ୍ତିସଂଗତ କରିବାକୁ ଯାଇ ଇରାନ ଗଣମାଧ୍ୟମକୁ କହିଛି, ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ ଇରାକ ଓ ସିରିୟାକୁ ହମଲା କରାଯିବା ପରେପରେ ସେ ବାଧ୍ୟ ହୋଇ ଏପରି ପଦକ୍ଷେପ ଗ୍ରହଣ କରିଛି ।

ଜୈସ ଅଲ-ଆଦିଲର ଦୁଇଟି ଆଡ୍ଡା ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଛି ବୋଲି ପାକ୍‌ ମିଡିଆ ସୂତ୍ରରୁ ପ୍ରକାଶ । ଅଲ ଆରବିୟ ନ୍ୟୁଜ ସଂସ୍ଥା ସୂତ୍ରରୁ ପ୍ରସାରିତ ଖବର ମୁତାବକ ଇରାନ ହମଲାରେ ପାକିସ୍ତାନରେ ଦୁଇଜଣ ଶିଶୁଙ୍କ ଜୀବନହାନି ଘଟିଛି ଓ ତିନିଜଣ ଗୁରୁତର ଆହତ ହୋଇଛନ୍ତି ।

ଇରାନର ଏଭଳି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛି ପାକିସ୍ତାନ । ପାକିସ୍ତାନ କହିଛି, ପାକ୍‌ ବାୟୁ ସୀମା ଭିତରକୁ ଅନୁପ୍ରବେଶ କରି ଇରାନ ପାକିସ୍ତାନର ସାର୍ବଭୌମତ୍ୱକୁ ଅପମାନିତ କରିଛି । ପୁନର୍ବାର ଇରାନ ଏଭଳି ହମଲା କଲେ ପାକିସ୍ତାନ ସେନା ନିରବଦ୍ରଷ୍ଟା ହୋଇପାରିବନି ।