ଇସ୍ରାଏଲ-ହମାସ ଲଢେ଼ଇ: ବଙ୍କରରେ ଲୁଚିଲେ ନେତାନ୍ୟାହୁଙ୍କ ସାଂସଦ

ଇତିମଧ୍ୟରେ ଇସ୍ରାଏଲ-ହମାସ ଲଢେ଼ଇ ଜୋରଦାର ହୋଇଛି । ସୋମବାର ଦିନ ଇସ୍ରାଏଲ ସଂସଦରେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ହମାସ ପକ୍ଷରୁ ରକେଟ୍‌ ମାଡ଼ କରାଯାଇଛି । କେବଳ ଇସ୍ରାଏଲକୁ ନୁହେଁ, ଜେରୁଜେଲମକୁ ମଧ୍ୟ ରକେଟ୍‌ ମାଡ଼ କରିଛି ହମାସ । ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଅନ୍ୟାନ୍ୟ ସାଂସଦମାନେ ଜୀବନ ବିକଳରେ ସଂସଦର ଭୂମିଗତ କୋଠରୀରେ ଆତ୍ମଗୋପନ କରିଥିଲେ ।

ସୁରକ୍ଷା କର୍ମୀମାନେ ସଂସଦର ଚାରିପାଖର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପରେ ସାଇରନ୍‌ ବଜାଇଥିଲେ । ସାଂସଦମାନେ ଭୂମିଗତ କୋଠରୀରୁ ବାହାରି ଅଧିବେଶନ କାର୍ଯ୍ୟରେ ଯୋଗଦାନ କରିଥିଲେ । ଇସ୍ରାଏଲ ସେନାର ୧୯୯ ଯବାନଙ୍କୁ ବନ୍ଦୀ କରି ଗାଜାରେ ରଖିଛି ହମାସ । ହମାସ-ଇସ୍ରାଏଲ ଲଢେ଼ଇ ଭିତରେ ଲେବାନନରେ ବିଦ୍ରୋହର ସୂତ୍ରପାତ ଘଟିଛି । ଲେବାନନ ସୀମା ନିକଟରୁ ୨ କିଲୋମିଟର ଭିତର ଅଂଚଳକୁ ଖାଲି କରି ଦିଆଯିବ ।

ରବିବାର ଦିନ ଲେବାନନରେ ହିଜବୁଲ୍ଲା ସଂଗଠନର ଆକ୍ରମଣକୁ କଡ଼ା ଜବାବ ଦେଇଥିଲା ଇସ୍ରାଏଲ । ୟା’ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯେକୌଣସି ଦିନ ଇସ୍ରାଏଲ୍‌ ଗସ୍ତ କରିପାରନ୍ତି । ଇସ୍ରାଏଲ ସହିତ ଆମେରିକାର କୂଟନୈତିକ ସଂପର୍କ ବେଶ ମଜବୁତ୍‌ ।