Jaffer Express attack : ଜାଫର ଏକ୍ସପ୍ରେସ ହମଲା ପ୍ରସଙ୍ଗରେ ଭାରତକୁ ପୁନର୍ବାର ଦାୟୀ

Jaffer Express attack ଜାଫର ଏକ୍ସପ୍ରେସ ହମଲା ପ୍ରସଙ୍ଗରେ ଭାରତକୁ ପୁନର୍ବାର ଦାୟୀ କରିଛି ପାକିସ୍ତାନ । ଟ୍ରେନ୍ ଉପରେ ଆକ୍ରମଣ ପଛରେ ଭାରତୀୟ ଗୁପ୍ତଚର ସଂସ୍ଥା ଜଡ଼ିତ ବୋଲି ବୁଧବାର ଦିନ କହିଛନ୍ତି ପାକ୍ ରେଳବାଇ ମନ୍ତ୍ରୀ ହନିଫ ଆବାସି ।

ଶକ୍ତିଶାଳୀ ବିସ୍ଫୋରକ ଖଞ୍ଜି ଟ୍ରେନ ଲାଇନକୁ ଉଡାଇ ଦିଆଯାଇଥିଲା ସିନ୍ଧୁ ପ୍ରଦେଶର ଶିକରପୁର ଜିଲ୍ଲାରେ । ଫଳରେ ଜାଫର ଏକ୍ସପ୍ରେସର ଚାରିଟି ବଗି ଲାଇନ୍ ଚ୍ୟୁତ ହୋଇଗଲା ।

ବର୍ଷକ ଭିତରେ ଜାଫର ଏକ୍ସପ୍ରେସକୁ ପ୍ରାୟ ୭ ଥର ଟାର୍ଗେଟ୍ କରାଯାଇଛି । କ୍ୱେଟାରୁ ପେଶାୱରକୁ ଯାତାୟତ କରୁଥିବା ଉକ୍ତ ଟ୍ରେନ ଦୁର୍ଘଟଣା ପାଇଁ ପାକିସ୍ତାନ ସରକାର ସିଧାସଳଖ ଭାରତୀୟ ଗୁପ୍ତଚର ସଂସ୍ଥା ପ୍ରତି ଆଙ୍ଗୁଳି ଉଠାଇଛି ।

ଏପରି ବର୍ବରୋଚିତ ହମଲାକୁ ଡରି ଯାଇ ପାକିସ୍ତାନ ସରକାର ଜାଫର ଏକ୍ସପ୍ରେସ ଚଳପ୍ରଚଳକୁ ବନ୍ଦ କରିବେନି । ଆତଙ୍କୀ ହମଲା କବଳରୁ ରେଳରାସ୍ତାକୁ ସୁରକ୍ଷିତ କରିବା ପାଇଁ ସରକାର ପୂର୍ବଠାରୁ ଆହୁରି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ସକାଳ ପ୍ରାୟ ୮ଟା ୧୫ ମିନିଟ୍ ସମୟରେ ସୁଲତାନ କୋଟ୍ ରେଳ ଷ୍ଟେସନ ନିକଟରୁ ପ୍ରାୟ ଏକ କିଲୋମିଟର ଦୂରରେ ଟ୍ରେନ ଲାଇନକୁ ଉଡାଇ ଦେଇଥିଲେ ଆତଙ୍କୀ ସଂଗଠନ ।

ଫଳରେ ସେହି ବାଟ ଦେଇ ଯାଉଥିବା ଜାଫର ଏକ୍ସପ୍ରେସର ଚାରିଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୭ ଜଣ ଲୋକ କ୍ଷତାକ୍ତ ହୋଇଥିଲେ ।