ଜାମା ମସଜିଦକୁ ଯୁବତୀଙ୍କୁ ବାରଣ

ସ୍ପଷ୍ଟୀକରଣ ଦେବାକୁ ପଛାଉଛନ୍ତି ସମସ୍ତେ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାମା ମସଜିଦରେ ଏକ ବିବାଦ ମୁଣ୍ଡ ଟେକିଛି । ମସଜିଦ ପରିଚାଳନା ଦାୟିତ୍ୱରେ ଥିବା କମିଟି ପକ୍ଷରୁ ଏକ ନୋଟିସ୍‌ ପ୍ରକାଶ ପାଇଛି ଯୋଉଥିରେ ମସଜିଦ ଭିତରକୁ ଜଣେ ଯୁବକ ବା ଜଣେ ଯୁବତୀ ପ୍ରବେଶ କରିପାରିବେନି । ଏପରି ତାଲିବାନୀ ନିଷ୍ପତି ଭାରତରେ ଚଳିବନି କହି ଚିନ୍ତାପ୍ରକଟ କରିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱଲ ।
ଜାମା ମସଜିଦ ଲୋକ ସଂପର୍କ ଅଧିକାରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଯୁବତୀଙ୍କ ପ୍ରବେଶ ଉପରେ କୌଣସି କଟକଣା ଲଗାଯାଇଛି । ଜଣେ ଯୁବତୀ ଏକୁଟିଆ ମସଜିଦ ଭିତରେ ବୁଲୁଥିବା ବେଳେ ଯୁବକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଫଳରେ ନାନା ଅପକର୍ମ ଚାଲିଛି ।

କିଛି ଲୋକ ବା ମହିଳା ମସଜିଦ ପ୍ରାଙ୍ଗଣକୁ ସଭାକକ୍ଷ ମଣୁଛନ୍ତି । ଭିଡିଓ ତିଆରି କରୁଛନ୍ତି, ସେଲ୍‌ ଫି ଉଠାଉଛନ୍ତି । ସୋସିଆଲ ମିଡିଆରେ ପ୍ରସାରଣ କରୁଛନ୍ତି । ଆଖଡ଼ାଶାଳ ମଣି ନାଚତାମସା କରୁଛନ୍ତି । କୌଣସି ଧାର୍ମିକ ସ୍ଥଳରେ ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ । ଧାର୍ମିକ ସ୍ଥଳର ପବିତ୍ର ବାତାବରଣ ବଜାୟ ରଖିବା ପାଇଁ ଏପରି ନିୟମ ଜାରି କରାଯାଇଛି । ଲୋକମାନେ ମସଜିଦକୁ ମନୋରଞ୍ଜନ କେନ୍ଦ୍ର ମଣୁଛନ୍ତି । ପରିବାର କି ବିବାହିତ ଯୋଡ଼ିଙ୍କ ପ୍ରବେଶ ଉପରେ କୌଣସି କଟକଣା ଲଗାଯାଇନି । ପରିବାର ସହିତ ଜାମା ମସଜିଦ ଭିତରକୁ ଯାଆନ୍ତୁ । କେହି ଅଟକାଇବେ ନାହିଁ ।

ଜାମା ମସଜିଦର ଆରଡବ୍ଲ୍ୟୁଏ ସାଧାରଣ ସଂପାଦକ ମହମ୍ମଦ ସଲମାନ କହିଛନ୍ତି ଯେ ବୋର୍ଡ ଭିତରେ କିଛି ମତଭେଦ ଥିବାର ଅନୁମାନ କରାଯାଉଛି । ସେ ଜାମା ମସଜିଦ ମୁଖିଆ ଇମାମଙ୍କ ସହ ଆଲୋଚନା କରିବେ । କି ପ୍ରକାର ମତଭେଦ ମୁଣ୍ଡ ଟେକିଛି ସେ ବିଷୟରେ ସଲମାନ କିଛି ସ୍ପଷ୍ଟ କରିନାହାନ୍ତି ।