ମୁମ୍ବାଇରେ ପହଞ୍ଚିଲେ କଙ୍ଗନା

ମୁମ୍ବାଇ: କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିନେତ୍ରୀ କଙ୍ଗନା ରାଣାୱତ ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ମୋହାଲି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ସେ ଧରିଥିବା ବିମାନ ଅବତରଣ କରିସାରିଛି। ଇତିମଧ୍ୟରେ ହାତରେ କଳା ପତାକା ଧରି କଙ୍ଗନାଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି ଶିବସେନା କର୍ମୀ।

ଛତ୍ରପତି ଶିବାଜୀ ଅନ୍ତରାଷ୍ଟ୍ରିୟ ବିମାନ ବନ୍ଦର ବାହାରେ ହଜାର ହଜାର ଶିବସୈନିକ କଙ୍ଗନା ରାଣାୱତ୍ ହାଏ ହାଏ ନାରା ଦେବା ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କଙ୍ଗନାଙ୍କୁ ସୁରକ୍ଷାର ସହ ଟର୍ମିନାଲର ଗେଟ୍ ନଂ ୧ ଦେଇ ବାହାରକୁ ଛଡ଼ାଯିବ। ପୂର୍ବରୁ ତାଙ୍କର ୱାଇ ପ୍ଲସ ସୁରକ୍ଷା ମୁତାବକ ସିଆରପିଏଫ୍ ଯବାନ ଏବଂ କମାଣ୍ଡୋ ପ୍ରସ୍ତୁତ ହୋଇ ରହିଛନ୍ତି। ଅନ୍ୟପଟେ କଙ୍ଗନାଙ୍କ ସମର୍ଥନରେ କର୍ଣ୍ଣୀ ସେନାର କର୍ମକର୍ତ୍ତା ମଧ୍ୟ ବିମାନ ବନ୍ଦର ବାହାରେ ଆସି ଏକତ୍ରିତ ହୋଇଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସକୁ ସମାଲୋଚନା ଓ ମୁମ୍ବାଇକୁ ପିଓକେ କହିବା ପରେ ଶିବସେନା କଙ୍ଗନାଙ୍କ ବିରୋଧରେ ସ୍ୱର ଉଠାଇଛି। ସେ ମୁମ୍ବାଇ ଆଉ ନ ଆସନ୍ତୁ ବୋଲି କଙ୍ଗନାଙ୍କୁ ଚେତାବନୀ ଦେଇଥିଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ଏପରିକି ଆଜି ତାଙ୍କର ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ମଣିକର୍ଣ୍ଣିକାକୁ ବେଆଇନ ଦର୍ଶାଇ ଭାଙ୍ଗିବା ଆରମ୍ଭ କରିଥିଲା ବିଏମସି। ଯେଉଁଥିରେ ପ୍ରତିକ୍ରିୟାଶୀଳ ହୋଇ ମହାରାଷ୍ଟ୍ର ସରକାରଙ୍କୁ ବାବର ସହ ତୁଳନା କରିସାରିଛନ୍ତି କଙ୍ଗନା। ମୁମ୍ବାଇ ହାଇକୋର୍ଟ ଭଙ୍ଗାଭଙ୍ଗି ଉପରେ ରହିତାଦେଶ ଲଗାଇଥିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଙ୍ଗନାଙ୍କୁ ଆସ୍ୱସ୍ତି ମିଳିଛି।