କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକାରୀ ଖତମ୍‌

ଚଳିତ ବର୍ଷ ଅଗଷ୍ଟ ୧୦ ସୁଦ୍ଧା ୧୩୯ ଆତଙ୍କୀ ପ୍ରାଣ ହରାଇଛନ୍ତି….

ଜମ୍ମୁ-କଶ୍ମୀର: ବୁଧବାର ସୁରକ୍ଷାକର୍ମୀଙ୍କ ହମ୍‌ଲାରେ ତିନିଜଣ ଲସ୍କର ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ-କଶ୍ମୀରର ବଡଗାଁ ଜିଲ୍ଲାର ୱାଟରହେଲ ଇଲାକାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ତିନିଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ମୃତ ଆତଙ୍କୀଙ୍କ ପରିଚୟ ଖୋଜିବାକୁ ଯାଇ ପୁଲିସ ଜାଣିବାକୁ ପାଇଥିଲା ଯେ ଲତିଫ ରାଥର ନାମକ ମୃତ ଆତଙ୍କୀ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ଓ ଅମରିନ୍‌ ଭଟ୍ଟଙ୍କ ସମେତ ବହୁ ସାଧାରଣ ନାଗରିକଙ୍କ ମୃତ୍ୟୁ ମାମଲାରେ ଜଡ଼ିତ ।

ବୁଧବାର ସନ୍ଧ୍ୟା ସୁଦ୍ଧା ସର୍ଚ୍ଚ ଅପରେସନ୍‌ ଶେଷ ହୋଇ ନଥିଲା । ଅନ୍ୟ ଏକ ଘଟଣାରେ ପୁଲୱାମାରେ ସୁରକ୍ଷାକର୍ମୀମାନେ ୩୦ କିଲୋ ବିସ୍ଫୋଟକ ଜବତ କରିବା ଫଳରେ ବଡ଼ ଧରଣର ଆତଙ୍କୀ ଷଡ଼ଯନ୍ତ୍ର ଫସର ଫାଟିଛି । ଜମ୍ମୁ-କଶ୍ମୀର ଘାଟିରେ ଅପରେସନ୍‌ ଅଲ୍‌ ଆଉଟ୍‌ ଆରମ୍ଭ କରିଛି ସୁରକ୍ଷାକର୍ମୀ । ଚଳିତ ବର୍ଷ ଅଗଷ୍ଟ ୧୦ ସୁଦ୍ଧା ୧୩୯ ଆତଙ୍କୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ଭିତରୁ ୩୨ରୁ ଅଧିକ ବିଦେଶୀ । ଜୁଲାଇ ମାସ ଶେଷ ସପ୍ତାହରେ ୬ ଜଣ ଆତଙ୍କୀ ମରିଛନ୍ତି । ସେମାନଙ୍କ ଭିତରୁ ଚାରିଜଣ ଲସ୍କର ଆତଙ୍କୀ ଓ ଦୁଇଜଣ ଜୈଶ ମହମ୍ମଦ ଆତଙ୍କୀ ।