‘ଖତମ କରିବାକୁ ବସିଥିଲେ, ଖତମ ହୋଇଗଲେ’

ବିଜେପିକୁ ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ କଟାକ୍ଷ…

ପାଟନା: ‘ବିରୋଧୀଙ୍କୁ ଖତମ କରିବାକୁ ବସିଥିଲେ, ନିଜେ ଖତମ ହୋଇଗଲେ ।’ ଏହା ହେଉଛି ଟିଏମ୍‌ସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ କଟାକ୍ଷ । ବିଜେପିରୁ ତଡ଼ା ଖାଇବା ପରେ ଶତ୍ରୁଘ୍ନ ତୃଣମୂଳ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ମାତ୍ର ବିଜେପିଠାରୁ ଖାଇଥିବା ଧୋକାକୁ ଭୁଲି ପାରିନାହାନ୍ତି । ନୀତୀଶଙ୍କ ପଦକ୍ଷେପକୁ ସ୍ୱାଗତ କରି ଶତ୍ରୁଘ୍ନ କହିଛନ୍ତି, ବିହାରକୁ ବିରୋଧୀ ଶୂନ୍ୟ କରିବା ଲକ୍ଷ୍ୟରେ ବିଜେପି ନୀତୀଶ କୁମାରଙ୍କ ସହ ମେଂଟ କରିଥିଲା । ମାତ୍ର ସମୟ ଚକ୍ରରେ ସବୁ ଓଲଟିଗଲା । ବିଜେପିକୁ ‘ଗୁଡ୍‌ ବାଏ’ କହି ନୀତୀଶ ପୁଣି ଅଣ-ବିଜେପି ଗୋଠକୁ ଆଲିଙ୍ଗନ କରିଛନ୍ତି । ଖାଲି ଆଲିଙ୍ଗନ କରିନାହାନ୍ତି, ୨୦୨୪ ପାଇଁ ବିଜେପିକୁ ଖୋଲା ଚାଲେଞ୍ଜ କରିଛନ୍ତି ।
ଅଷ୍ଟମ ଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ତେଜସ୍ୱୀ ଯାଦବ । ୧୬୪ ବିଧାୟକଙ୍କ ସମର୍ଥନରେ ମହାଗଠବନ୍ଧନ ସରକାର କ୍ଷମତାସୀନ ହୋଇଛି । ଜଳକା ପରି ଅନାଇଛି ବିହାର ବିଜେପି । ନୀତୀଶ କୁମାରଙ୍କୁ ବିଶ୍ୱାସଘାତକ ଓ ମହାଗଠବନ୍ଧନ ସରକାରକୁ ‘ଜନାଦେଶ ପ୍ରତି ଅପମାନ’ କହି ବିଜେପି କୌଣସିମତେ ରାତିଅଧିଆ ଅପମାନକୁ ଭୁଲିବାକୁ ଚେଷ୍ଟା କରୁଛି ।