ଆଜିବି ଜୀବିତ ନେତାଜୀ ସୁଭାଷ

ନେତାଜୀଙ୍କ ୧୨୬ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଶ୍ରଦ୍ଧାଞ୍ଜଳି

ସୁଭାଷ ଚନ୍ଦ୍ର ବୋଷ ଆଜିବି ଜୀବିତ..

ଭୁବନେଶ୍ୱର,(ସା କ୍ ସୀ ନ୍ୟୁଜ୍): ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ଲାଗି ସୁନିୟୋଜିତ ସଂଗ୍ରାମ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଗାନ୍ଧୀଙ୍କ ଅହିଂସା ଉପାୟରେ ଭାରତୀୟମାନେ ସ୍ବାଧୀନତାର ସ୍ବାଦ ଚାଖିଲେ ସତ, କିନ୍ତୁ ସ୍ବାଧୀନତା ହାସଲରେ ନେତାଜୀଙ୍କ ସଂଘର୍ଷର ଭୂମିକା କିଛି କମ୍ ନୁହେଁ। ୧୮୯୭ ଜାନୁଆରି ୨୩ ତାରିଖରେ ଜାନକୀ ନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ କଟକ ଠାରେ ସୁଭାଷ ଜନ୍ମ ନେଇଥିଲେ।

ତେବେ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶ ପାଇଁ ତଥା ସ୍ୱାଧୀନତା ପାଇଁ ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ଆଜି ପରାକ୍ରମ ଦିବସରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ ପାଇଁ ତାଙ୍କର ଐତିହାସିକ ଅବଦାନକୁ ସ୍ମରଣ କରୁଛି।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌‌ ଶାହା ଓ କଂଗ୍ରେସର ବରିଷ୍ଠ ନେତା ମଧ୍ୟ ନେତାଜୀଙ୍କ ୧୨୬ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶାହା ଟ୍ୱିଟ କରି କହିଛନ୍ତି, ନେତାଜୀଙ୍କ ଅଦ୍ଭୁତ ନେତୃତ୍ୱର କ୍ଷମତା ଦ୍ୱାରା ସେ ଲୋକଙ୍କୁ ଏକତ୍ରିତ କରି ଆଜାନ୍ଦ ହିନ୍ଦ୍‌‌ ଫୌଜ ଗଠନ କରି ସ୍ୱାଧୀନତା ପାଇଁ ଆନ୍ଦୋଳନ କରିଥିଲେ। ତାଙ୍କର ସାହସ ଓ ସଂଘର୍ଷକୁ ସାରା ଦେଶ ପ୍ରଣାମ କରୁଛି। ସେ ଆହୁରି ମଧ୍ୟ ଲେଖିଛନ୍ତି,ଆଜି ନେତାଜୀଙ୍କ ୧୨୬ ତମ ଜୟନ୍ତୀରେ ତାଙ୍କର ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟ କରିଛନ୍ତି, ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ପୂର୍ବତମ ଅଧ୍ୟକ୍ଷ, ଆଜାନ୍ଦ ହିନ୍ଦ ଫୌଜର ପ୍ରତିଷ୍ଠାତା ତଥା ଆଦର୍ଶ ନେତାଜୀଙ୍କ ୧୨୬ ତମ ଜୟନ୍ତୀ ଅବସରରେ ପ୍ରଣାମ ଜଣାଇଛନ୍ତି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ ଯୋଗେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ସାହସ ଓ ଦେଶ ଭକ୍ତି ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଦେଶର ସ୍ୱାଧୀନତାର ରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରେରଣା ଦେଉଛି ବୋଲି କହିଛନ୍ତି।

ସୁଭାଷ

ନେତାଜୀ ସୁଭାଷ :
ରେଭେନ୍‍ସା କଲିଜିଏଟ୍ ସ୍କୁଲରେ ପଢ଼ି ସେ ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଛାତ୍ର ଜୀବନରେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା। ୧୯୨୦ ମସିହା ଆଇସିଏସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ପରେ ବ୍ରିଟିସ୍‌ଙ୍କ ଅତ୍ୟାଚାର ଦେଖି ସେ ସରକାରୀ ଚାକିରି ଛାଡ଼ିଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହୋଇ ପ୍ରଥମେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ସେ ୧୯୩୮ରେ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ।

ଗାନ୍ଧୀ ଓ ନେହରୁଙ୍କ ସହ ଅସହମତି କାରଣରୁ ୧୯୩୯ରେ କଂଗ୍ରେସରୁ ଇସ୍ତଫା ଦେଇ ସୁଭାଷ ଫରଵାର୍ଡ ବ୍ଲକ୍ ନାମକ ଦଳ ଗଠନ କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧରେ ଭାରତୀୟ ସମ୍ବଳ ଓ ସୈନିକଙ୍କ ନିୟୋଜନ ବିରୋଧରେ ସେ ଗଣଆନ୍ଦୋଳନ ସଂଗଠିତ କରିଥିଲେ। ଏଥିପାଇଁ ତାଙ୍କୁ ଗୃହବନ୍ଦୀ ରଖାଯାଇଥିଲା।

୧୯୪୧ରେ ଗୃହବନ୍ଦୀରୁ ଖସିଯାଇ ସୁଭାଷ ଭାରତୀୟ ସ୍ବାଧୀନତା ଲଢ଼େଇକୁ ସରହଦ ପାର ନେଇଯାଇଥିଲେ। ପ୍ରଥମେ ଜର୍ମାନୀ ପହଞ୍ଚି ରେଡିଓରେ ଭାରତୀୟଙ୍କୁ ଉଦ୍‍ବୋଧନ କରୁଥିଲେ। ସେଠାରୁ ସିଙ୍ଗାପୁର ଯାଇ ମୁଖ୍ୟତଃ ଭାରତୀୟ ଯୁଦ୍ଧ ବନ୍ଦୀଙ୍କୁ ନେଇ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। ତାଙ୍କର ପ୍ରସିଦ୍ଧି ଓ ଲୋକପ୍ରିୟତା ଭାରତର ସୀମା ଅତିକ୍ରମ କରିଯାଇଥିଲା। ସେଥିପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଦେଶର ମୁଖ୍ୟମାନେ ତାଙ୍କ ସମର୍ଥନରେ ଛିଡ଼ା ହୋଇଥିଲେ।

ବ୍ରିଟିସ୍ ଶାସକଙ୍କ ସହ ଯୁଦ୍ଧ ପାଇଁ ଆଜାଦ ହିନ୍ଦ ଫୌଜ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ପ୍ରଥମେ ଆଣ୍ଡାମାନ ଓ ନିକୋବାର ଦ୍ବୀପପୁଞ୍ଜକୁ ମୁକ୍ତ କରାଯାଇଥିଲା। ୧୯୪୪ ମାର୍ଚ୍ଚରେ ଆଜାଦ ହିନ୍ଦ ଫୌଜ ଭାରତୀୟ ମାଟିରେ ପଦାର୍ପଣ କରିଥିଲା। ତେବେ ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଜାପାନ ଓ ଜର୍ମାନୀର ପରାଜୟ ପରେ ସହାୟତା ବିନା ନେତାଜୀଙ୍କ ସେନାବାହିନୀକୁ ପଛକୁ ହଟିବାକୁ ପଡ଼ିଥିଲା। ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ତାଙ୍କୁ ପରାସ୍ତ କଲା। ୧୯୪୫ ମସିହା ଅଗଷ୍ଟ ୧୮ରେ ଏକ ବିମାନ ଦୁର୍ଘଟଣାରେ ତାଇଵାନ ଠାରେ ନେତାଜୀ ସୁଭାଷ ବୋଷଙ୍କର ମୃତ୍ୟୁ ଘଟିଥିବାର ଅନୁମାନ କରାଯାଏ। ଏବେ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟଜନକ ହୋଇ ରହିଛି।