ମସଜିଦ-ମିନିବସ ଉପରେ ଭୟଙ୍କର ବିସ୍ଫୋରଣ: ୧୪ ମୃତ

ଆତଙ୍କବାଦୀମାନେ ଏକ ମିନିବସ ଉପରେ ଆକ୍ରମଣ କରିଥିଲେ…

କାବୁଲ : ଆଫଗାନିସ୍ତାନରେ ଭିନ୍ନ ଭିନ୍ନ ସ୍ଥାନରେ ବିସ୍ଫୋରଣ ହେବା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ କାବୁଲସ୍ଥିତ ଏକ ମସଜିଦ ମଧ୍ୟ ସାମିଲ ରହିଛି । ମସଜିଦ ଭିତରେ ବୋମା ବିସ୍ଫୋରଣ ହେବାରୁ ଅତିକମରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ଉତ୍ତର ଅଞ୍ଚଳରେ ଚଳନ୍ତା ବସକୁ ଟାର୍ଗେଟ କରାଯାଇଛି । ଆତଙ୍କବାଦୀମାନେ ଏକ ମିନିବସ ଉପରେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ତାଲିବାନ ପୋଲିସ ମୁଖପାତ୍ର ଖାଲିଦ ଜାଦରାନଙ୍କ କହିବା ଅନୁସାରେ କାବୁଲ ଜରୁରୀକାଳୀନ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ମସଜିଦରେ ବିସ୍ଫୋରଣର ୨୨ ଜଣ ଆହତ ହୋଇଛନ୍ତି ।

ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ସହରର କେନ୍ଦ୍ରୀୟ ପୋଲିସ ଜିଲ୍ଲା-୪ସ୍ଥିତ ହଜରତ ଜକାରିୟା ମସଜିଦରେ ଏହି ବିସ୍ଫୋରଣ ହୋଇଥିଲା । ନମାଜ ପାଠ ପାଇଁ ମସଜିଦ ଭିତରେ ଲୋକେ ଥିଲେ । ସେହିପରି ତାଲିବାନ ପକ୍ଷରୁ ନିଯୁକ୍ତ ମୁଖପାତ୍ର ମହମ୍ମଦ ଆସିଫ ବଜୀରୀ କହିଛନ୍ତି ଯେ, ଏକ ମିନିବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୫ ଜଣ ଆହତ ହୋଇଥିଲେ ।