ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଛରେ ଗଣମାଧ୍ୟମ

ଭୋଟରଙ୍କ ମାନସିକତା ୨୦୨୪ ନିର୍ବାଚନର ନିର୍ଣ୍ଣାୟକ….

ନୂଆଦିଲ୍ଲୀ: ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ପଛରେ ଦେଶର ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଶହେକୁ ଶହେ ଦାୟୀ । ମୋଦୀଙ୍କ ଅମଳରେ ଦେଶର ଗତି କେତେ ଆଗକୁ ଆଗେଇଛି ଅବା କେତେ ପଛକୁ ଯାଇଛି; ସେଇଟା ଆମର ବିଷୟବସ୍ତୁ ନୁହେଁ । ମାତ୍ର ବିିଜେପି ପକ୍ଷରୁ ଗଠିତ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ହେବା ପରଠାରୁ ପ୍ରମୁଖ ଜାତୀୟ ଗଣମାଧ୍ୟମ ନରେନ୍ଦ୍ର ମୋଦୀଙ୍କ ସ୍ତାବକ ପାଲଟିଗଲେ । ଅବଶ୍ୟ ଏଥିପାଇଁ ବିଜେପି ପକ୍ଷରୁ ଦେଶର ବଛାବଛା ଗଣମାଧ୍ୟମକୁ ଯଥାଶକ୍ତି ପାରିତୋଷିକ ମିଳିଥିଲା ।

ଗଣମାଧ୍ୟମର ମୁଖ୍ୟ ପୃଷ୍ଠାରେ ୨୦୧୪ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମୋଦୀଙ୍କ ଭାଷଣ, ମୋଦୀଙ୍କ ସମାଲୋଚନା, ମୋଦୀଙ୍କ ଆଲୋଚନା ଶୁଣି ଶୁଣି ଦେଶବାସୀଙ୍କ ମନରେ ମୋଦୀଙ୍କ ପ୍ରତି ଏକପ୍ରକାର ଦୁର୍ବଳତା ପ୍ରକାଶ ପାଇଲା । ଯାହାର ପ୍ରତିଫଳନ ନିର୍ବାଚନରେ ଦେଖିବାକୁ ମିଳିଲା । ବିଜେପିର ପ୍ରଥମ ପାଳି ଶାସନରେ ପ୍ରଧାନମନ୍ତ୍ରୀ ମୋଦୀ ମାପିଚୁପି ଗୋଟିଚାଳନା କରୁଥିଲେ ।

ମାତ୍ର ଦ୍ୱିତୀୟ ପାଳିରେ ୩୦୩ ଆସନ ପାଇ ବିଜେପି ଏକପ୍ରକାର ଅହଂକାରୀ ହୋଇଗଲା । ଏନ୍‌ଡିଏ ମେଂଟରେ ରହି ବିଜେପି ଦେଶର ନ୍ୟାୟାଳୟକୁ ନଚାଇବାକୁ ଲାଗିଲା । ବାବ୍ରି ମସଜିଦ ବିବାଦ, ତିନି ତଲାକ, ନାଗରିକତା ସଂଶୋଧନ, ଜମ୍ମୁ-କଶ୍ମୀର ହାତରୁ ଧାରା-୩୭୦ ଓ ଧାରା-୩୫ଏ ଛଡ଼ାଇ ନିଆଯିବା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଜେପିର ଦ୍ୱିତୀୟ ପାଳି ଶାସନରେ ଘଟିଛି।

ତା’ ସହିତ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଦରବୃଦ୍ଧି, କରୋନା ମୁକାବିଲା ଓ ଦ୍ରୁତ ଶିଳ୍ପାୟନ ଆଳରେ ହାତଗଣତି ଶିଳ୍ପପତିଙ୍କ ପୈତୃକ ସଂପତିକୁ ବଢ଼ାଇବା ଓ ଦେଶର ରାଜକୋଷକୁ ଲୁଟିବା, ଅତ୍ୟାବଶ୍ୟକ ସାମଗ୍ରୀର ଲଗାମଛଡ଼ା ଦରଦାମ ବୃଦ୍ଧି କାରଣରୁ ଦେଶରେ ଧନୀ-ଗରିବଙ୍କ ମଧ୍ୟରେ ବ୍ୟବଧାନ କ୍ରମେ ୧୦୦୦ ଗୁଣ ବଢ଼ିଛି ।

ଉପା ଶାସନରେ ରାହୁଲ ଗାନ୍ଧୀଙ୍କ ଅହଂକାରକୁ ଦମନ କରିବା ପାଇଁ ଭୋଟରମାନେ ବିଜେପି ମେଂଟକୁ କ୍ଷମତାସୀନ କଲେ । ମାତ୍ର ମୋଦୀଙ୍କ ଦ୍ୱିତୀୟ ପାଳି ଶାସନ କଂଗ୍ରେସକୁ ବଳିଗଲା । ୨୦୨୪ ନିର୍ବାଚନ ପରେ କୋଉ ଦଳ ବା ମେଂଟ କ୍ଷମତାକୁ ଯିବ; ସେ ସଂପର୍କରେ ଏବଠାରୁ କହିବା ମୁସ୍କିଲ । ବିଗତ ବିଧାନସଭା ନିର୍ବାଚନରେ ଦେଶକୁ ଆଉ ଗୋଟିଏ ଜାତୀୟ ଦଳ ମିଳିଯାଇଛି । ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଭଳି ଦଳଗୁଡ଼ିକ ଜାତୀୟ ଦଳ ମାନ୍ୟତା ପାଇଥିଲେ ମଧ୍ୟ ବିଜେପି ଓ କଂଗ୍ରେସର ଅଧୀନତା ସ୍ୱୀକାର କରି ସେମାନଙ୍କର ଜାତୀୟ ଦଳ ମାନ୍ୟତାକୁ ଅପମାନିତ କରିଛନ୍ତି।

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତୃତ୍ୱରେ ଗଠିତ ତୃତୀୟ ମେଂଟ ୨୦୨୪ ନିର୍ବାଚନକୁ ରୋଚକପୂର୍ଣ୍ଣ ସ୍ଥିତିରେ ପହଂଚାଇବ । ଲୋକମାନେ ବିଜେପି ଓ କଂଗ୍ରେସ ଶାସନକୁ ଅନୁଭବ କରି ସାରିଲେଣି । ଭୋଟରଙ୍କ ମନରେ ଆପ୍‌ ମେଂଟ ଶାସନକୁ ଅନୁଭବ କରିବାର ମାନସିକତା ରହିଲେ, ୨୦୨୪ ନିର୍ବାଚନରେ ଆପ୍‌ ମେଂଟ ଶାସନ କରିବା ସୁନିଶ୍ଚିତ । ମାତ୍ର ଏସବୁ ପୂର୍ବାନୁମାନ କରିବାକୁ ଆମେ କିଏ? ଆମେ ତ ଭୋଟରଙ୍କ ସହିତ ରହିଛୁ, ରହିବୁ । ଭୋଟରମାନେ ଯାହାକୁ ଚାହିଁବେ, କ୍ଷମତାରେ ବସାଇ ପାରିବେ ।