‘ମୋତେ ବଂଚାଇ ଦିଅ, ଆପଣଙ୍କର ଚାକର ହେବି’

ତୁର୍କି ଷ୍ଟାଡିୟମ ଏବେ ପୀଡ଼ିତଙ୍କ ଆଶ୍ରୟସ୍ଥଳ

ଭୂକମ୍ପଜନିତ ମୃତକଙ୍କ ସଂଖ୍ୟା ୨୦ ହଜାର ଟପିଲା….

ନୂଆଦିଲ୍ଲୀ: ମାଟିରେ ପୋତି ହୋଇ ରହିଥିବା ଭଙ୍ଗା କୋଠାତଳୁ ଛୋଟ ପିଲାଟିଏ କ୍ଷୀଣକଣ୍ଠରେ କହୁଛି, ‘କିଏ କୋଉଠି ଅଛ, ମତେ ଉଦ୍ଧାର କରିଦିଅ । ମୁଁ ବଂଚିଥିବା ଯାଏ ଆପଣଙ୍କର ଚାକର ହେବି ।’ ତୁର୍କି ଓ ସିରିୟାରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୨୦ ହଜାର ଅତିକ୍ରମ କରିଛି । ଯେଉଁଆଡେ଼ ଆଖି ପକାଇବ, ଧ୍ୱଂସର ଉପତ୍ୟକା । ଆଖିରୁ ଲୁହ ପୋଛିବାକୁ ସମୟ ନାହିଁ । ଶତାବ୍ଦୀର ସବୁଠାରୁ ଭୟଙ୍କର ଭୂକମ୍ପ ।

କୋଉଠି ପରିବାରର ସମସ୍ତେ ଆଖି ବୁଜିଛନ୍ତି, ବଂଚିଯାଇଛି କୋମଳ ଶିଶୁ । କୋଉଠି ସ୍ୱାମୀ ଓ ପିଲାମାନେ ମରିଯାଇଛନ୍ତି, ବଂଚି ଯାଇଛନ୍ତି ମହିଳା । ପରିଜନଙ୍କ ଶବକୁ କୁଣ୍ଢାଇ କାନ୍ଦିବାକୁ ସମୟ ନାହିଁ । ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରଙ୍କ ପାଖରେ ସମୟ ଅଭାବ । ପୀଡ଼ିତଙ୍କୁ ମୃତ୍ୟୁମୁହଁରୁ ବଂଚାଇବା ଛାଡ଼ି ବ୍ୟବଚ୍ଛେଦ କରିବାକୁ କୋଉ ଡାକ୍ତର ଯିବ?

ଫେବୃଆରୀ ୬ ତାରିଖରେ ତୁର୍କିୟେ ଓ ସିରିୟାରେ ଘଟିଥିବା ଭୂକମ୍ପଜନିତ ଆହତଙ୍କ ସଂଖ୍ୟା ୪୦ ହଜାର ଟପିଛି । ବହୁ କୋଠାବାଡ଼ି ମାଟିରେ ମିଶିଯାଇଛି । ବାସହୀନ ଲୋକଙ୍କ ପାଇଁ ଅସ୍ଥାୟୀ ଶିବିର କରାଯାଇଛି । ଆମେରିକା କମ୍ପାନୀ ମ୍ୟାକ୍ସାର ଟେକ୍ନୋଲୋଜି କିଛି ଉପଗ୍ରହ ଫଟୋ ପ୍ରସାରଣ କରିଛି ଯୋଉଥିରେ ତୁର୍କିର ଜରାଜୀର୍ଣ୍ଣ ଚେହେରା ଓ ଅସ୍ଥାୟୀ ଶିବିର ଦେଖିବାକୁ ମିଳିଛି ।

ତୁର୍କିରେ ମୃତକଙ୍କୁ ସାମୁହିକ ସମାଧି ଦିଆଯାଉଛି । ତୁର୍କିୟେ ଓ ସିରିଆର ସଂକଟ କାଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ମିଳିତ ଜାତିସଂଘ ସମେତ ପ୍ରାୟ ୭୦ଟି ଦେଶ ଆଗେଇ ଯାଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ ସିରିୟାରେ ୩ ଲକ୍ଷ ଲୋକ ବାସହୀନ ହୋଇଛନ୍ତି । କେବଳ ତୁର୍କିୟେରେ ୧୭, ୧୭୦ ଲୋକ ପ୍ରାଣ ହରାଇଛନ୍ତି ଓ ୩୬ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସିରିଆରେ ପ୍ରାଣ ହରାଇଛନ୍ତି ୩,୭୫୦ ଓ ଆହତ ହୋଇଛନ୍ତି ୪ ହଜାରରୁ ଅଧିକ । ସିରିୟାରେ ଏବେ ଯେତିକି ପରିମାଣର ଖାଦ୍ୟସାମଗ୍ରୀ ମହଜୁଦ ରହିଛି, ସେଥିରେ ମାତ୍ର ଗୋଟିଏ ସପ୍ତାହ ପାଇଁ ଲୋକଙ୍କୁ ଖାଦ୍ୟ ଯୋଗାଣ କରିହେବ । ତୁର୍କିୟେରେ ୨୮ ହଜାରରୁ ଅଧିକ ଲୋକଙ୍କୁ ଭଙ୍ଗାକୋଠା ତଳୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୬୦ ହଜାରରୁ ଅଧିକ ଲୋକ ନିୟୋଜିତ ଅଛନ୍ତି ।