‘ଗଣମାଧ୍ୟମ ନିଜ ଲକ୍ଷ୍ମଣରେଖା ସ୍ଥିର କରୁ’

ନ୍ୟୁଜ ଚାନେଲକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ବିଦ୍ୱେଷମୂଳକ ଭାଷା ରୋକନ୍ତୁ ସଂଚାଳିକା…..

ନୂଆଦିଲ୍ଲୀ: ପ୍ରତ୍ୟେକ ନାଗରିକଙ୍କର ସ୍ୱାଧୀନ ମତ ବ୍ୟକ୍ତ କରିବାର ଅଧିକାର ରହିଛି । କିନ୍ତୁ ସାଧାରଣରେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବାର ଅଧିକାର ନାହିଁ । ବିଭିନ୍ନ ବୈଦ୍ୟୁତିକ ଚାନେଲରେ ପ୍ରସାରିତ କାର୍ଯ୍ୟକ୍ରମରେ ଆଲୋଚନାରେ ଭାଗ ନେଇ ବିଶିଷ୍ଟ ଲୋକମାନେ ପରସ୍ପରକୁ ଯେଭଳି ଭାଷା ପ୍ରୟୋଗ କରୁଛନ୍ତି; ତାହା ସଭ୍ୟ ସମାଜର କୁତ୍ସିତ ଚେହେରା ପ୍ରତି ଅଙ୍ଗୁଳି ଦେଖାଉଛି ।

ବୁଧବାର ଏକ ବିଦ୍ୱେଷମୂଳକ ମାମଲାର ବିଚାର ପ୍ରକ୍ରିୟା ଚାଲିଥିବା ସମୟରେ ଜଷ୍ଟିସ୍‌ କେଏମ୍‌ ଯୋସେଫ୍‌ ଓ ଜଷ୍ଟିସ୍‌ ଋଷିକେଶ ରାୟଙ୍କ ଖଣ୍ଡପୀଠ କହିଛନ୍ତି, ଟିଭି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ସଂଚାଳକ ଅବା ସଂଚାଳିକାଙ୍କୁ ଗୁରୁଦାୟିତ୍ୱ ତୁଲାଇବାକୁ ପଡ଼ିବ । ଦୂରଦର୍ଶନ ଅବା ଚାନେଲରେ ପ୍ରସାରିତ ଟକ୍‌ ଶୋ’ରେ ଭାଗ ନେଉଥିବା ବିଶିଷ୍ଟ ଲୋକମାନେ ପରସ୍ପରକୁ ଅଶ୍ରାବ୍ୟ ଭାଷାରେ ଗାଳି ଦେଉଥିଲା ବେଳେ ସଂଚାଳିକା ବା ସଂଚାଳକମାନେ ସେମାନଙ୍କୁ ବାରଣ କରିବା ଦରକାର । ସମାଜରେ ବିଦ୍ୱେଷ ସୃଷ୍ଟି କରୁଥିବା ଭାଷାଗୁଡ଼ିକ ଆଲୋଚନାରୁ ବାଦ ପଡ଼ିବା ଜରୁରୀ । ଏ ମାମଲାରେ ସରକାର ନିରବଦ୍ରଷ୍ଟା ରହିବା ଆହୁରି ଯନ୍ତ୍ରଣାଦାୟକ ।

ସୁପ୍ରିମକୋର୍ଟ କହିଛନ୍ତି, ସମାଜର ଆଗଧାଡ଼ିର ଲୋକମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ । ସେମାନଙ୍କ ମୁହଁରେ ଅଶ୍ରାବ୍ୟ ଭାଷା ଶୋଭା ପାଉନି । ଦେଶର ସମ୍ବିଧାନ ସମସ୍ତଙ୍କୁ ସ୍ୱାଧୀନ ମତ ପ୍ରକାଶ କରିବାର ଅଧିକାର ରହିଛି । ମାତ୍ର କାହାକୁ ଗାଳି ଦେବାର ଅଧିକାର ଦେଇନି । ଟିଭି କାର୍ଯ୍ୟକ୍ରମରେ ଅଭଦ୍ର ଭାଷାର ମନ୍ତବ୍ୟକୁ କଦାପି ବରଦାସ୍ତ କରାଯିବ ନାହିଁ । ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ଏ ଦିଗରେ ସତର୍କତାର ସହ କାମ କରିବା ଦରକାର । ବ୍ରିଟେନର ଏକ ଟିଭି ଚାନେଲ ଏହିଭଳି ଗୁରୁତର ଅପରାଧ କରି ମୋଟାଅଙ୍କର ଜୋରିମାନା ଗଣିଛି । ପ୍ରେସର ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମର ଆଲୋଚନାଗୁଡ଼ିକ ସମାଜକୁ ନୂଆ ଦିଗଦର୍ଶନ ଦେବା ଉଚିତ ।

ଲୋକଙ୍କ ଭିତରେ ଅବିଶ୍ୱାସର ବାତାବରଣ,  ପରସ୍ପରକୁ ଘୃଣା କରିବାର ଶିକ୍ଷା ଦେବା ଅନୁଚିତ । ଯେଉଁ ଆଲୋଚନା ମଣିଷ-ମଣିଷ ଭିତରେ ବିବାଦ ପାଇଁ ବାଟ ଫିଟାଉଛି, ସେଭଳି ଆଲୋଚନା ଆଦୌ କରା ନଯିବା ଦରକାର । ବିଶିଷ୍ଟ ଲୋକଙ୍କ ମୁହଁରୁ ବାହାରୁଥିବା ପ୍ରତ୍ୟେକଟି ଶବ୍ଦ ଗୋଟିଏ ସମାଜକୁ ଅବାଟକୁ ନେଇଯିବ ନଚେତ୍‌ ସୁଧାରି ଦେବ । ଗଣମାଧ୍ୟମ ନିଜ ଲକ୍ଷ୍ମଣରେଖା ନିର୍ଦ୍ଧାରଣ କରିବା ଦରକାର । ଗଣମାଧ୍ୟମ ରିପୋର୍ଟଗୁଡ଼ିକ ସମାଜକୁ ବିବାଦ ଭିତରକୁ ଟାଣି ନେବା ଅନୁଚିତ ।

ଖଣ୍ଡପୀଠ ପୁଣି କହିଛନ୍ତି, ବିଦ୍ୱେଷତା ସୃଷ୍ଟି କରୁଥିବା ଭାଷଣ କେବଳ ରାଜନେତାଙ୍କୁ ଲାଭଜନକ ସ୍ଥିତିରେ ରଖିଥାଏ । ଗଣମାଧ୍ୟମଗୁଡ଼ିକ ରାଜନେତାଙ୍କ ଫାଇଦା ପାଇଁ କାମ କରୁଛନ୍ତି । ରାଜନେତାଙ୍କୁ ଆଲୋଚନାରେ ବସାଇ ଚାନେଲଗୁଡ଼ିକ ଟଙ୍କା ରୋଜଗାର କରୁଛନ୍ତି ।