ପୁଲୱାମା ଶହୀଦଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୩ ବର୍ଷ। ଏହି ଅବସରରେ ସାରା ଦେଶ ଆଜି ଏହି ଭୟଙ୍କର ଆକ୍ରମଣରେ ଶହୀଦ ହୋଇଥିବା ସେହି ୪୦ ବୀର ସିଆରପିଏଫ୍‌ ଯବାନଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଶହୀଦଙ୍କ ବଳିଦାନକୁ ମନେ ପକାଇଛନ୍ତି। ସେହିପରି କଂଗ୍ରେସ ନେତା ଶଶି ଥରୁର ଶହୀଦଙ୍କୁ ସଲାମ୍‌ ଜଣାଇବା ସହ ଏହି ଅବସରରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି। ପୁଲୱାମା ଆକ୍ରମଣର ଶହୀଦମାନଙ୍କୁ ସେନା ମୁଖ୍ୟ ଏମଏମ ନରୱଣେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ମୋଦୀ କହିଛନ୍ତି, ୨୦୧୯ ଆଜିର ଦିନରେ ପୁଲୱାମାରେ ଶହୀଦ ହୋଇଥିବା ସମସ୍ତ ବୀରମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଆମ ଦେଶ ପାଇଁ ସେମାନଙ୍କର ବଳିଦାନକୁ ମନେ ପକାଉଛି। ତାଙ୍କର ସାହସିକତା ଏବଂ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଦେଶ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟ୍ବିଟ୍‌ କରି ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଲେଖିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଭାରତ ମାତାର ଅମର ବୀର ପୁତ୍ରଙ୍କୁ ଶତ ପ୍ରଣାମ ଏବଂ ବିନମ୍ର ଶ୍ରଦ୍ଧାଞ୍ଜଳି।

କଂଗ୍ରେସ ନେତା ଶଶି ଥରୁର ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ଆମର ପୁଲୱାମା ଶହୀଦମାନେ ପାରମ୍ପାରିକ ଶୋକ-ଶ୍ରଦ୍ଧାଞ୍ଜଳିଠାରୁ ଅଧିକ ଯୋଗ୍ୟ। ଏହି ଆକ୍ରମଣ କାହିଁକି ଓ କେମିତି ହେଲା? ଏହି ବଡ଼ ଭୁଲ୍‌ ପାଇଁ କିଏ ଦାୟୀ? ଏହାର ପୁନରାବୃତ୍ତି ନହେବା ପାଇଁ ଆମେ କ’ଣ ପଦକ୍ଷେପ ନେଉଛୁ? ଶହୀଦଙ୍କ ସ୍ମୃତିରେ ଏହି ପ୍ରଶ୍ନଗୁଡ଼ିକର ବିଚାର ଉପଯୁକ୍ତ ହେବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍‌ କରି ଶହୀଦ ସିଆରପିଏଫ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ଦେଶ ସର୍ବଦା ଋଣୀ ରହିବ ବୋଲି ସେ କହିଛନ୍ତି।