ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ମୋଦୀ

ମଙ୍ଗଳବାରଠାରୁ ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଛି ଜି-୨୦ ଶିଖର

ବାଲି: ମଙ୍ଗଳବାରଠାରୁ ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଆଲୋଚନାର ପ୍ରଥମ ପ୍ରସଙ୍ଗ ଥିଲା ଖାଦ୍ୟ ଓ ଶକ୍ତି ସୁରକ୍ଷା । ଉକ୍ତ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ-ରୁଷ ଯୁଦ୍ଧ ବନ୍ଦ କରିବା ପାଇଁ ଆନ୍ତର୍ଜାତିକ ସ୍ତରରୁ ମିଳିତ ଉଦ୍ୟମ ପ୍ରତି ଗୁରୁତ୍ୱାରୋପ କରିଥିଲେ । ସନ୍ଧ୍ୟା ସମୟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୋଙ୍କ ପକ୍ଷରୁ ନୈଶ୍ୟଭୋଜିର ଆୟୋଜନ କରାଯାଇଥିଲା । ଉକ୍ତ ଭୋଜିରେ ଅନ୍ୟ ଦେଶର ମୁଖିଆଙ୍କ ଗହଣରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦେଖିବାକୁ ମିଳିଥିଲା । ସବୁଠାରୁ କୌତୁହଳର ବିଷୟ ହେଉଛି, ଜିନପିଙ୍ଗଙ୍କ ସାମ୍ନାରେ ଠିଆ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଦୁଇନେତା ପରସ୍ପର ଆଡ଼କୁ ହାତ ବଢ଼ାଇ କରମର୍ଦ୍ଦନ କରିଥିଲେ । ତା’ ସହିତ ବେଶ କିଛି ମିନିଟ୍‌ କଥା ହୋଇଥିଲେ । ଆସନ୍ତାକାଲିର ବୈଠକରେ ଦୁଇନେତା ଭାଗନେବାର ସମ୍ଭାବନା ରହିଛି । ଏହାପୂର୍ବରୁ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ଏସ୍‌ସିଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଗୋଟିଏ ମଂଚରେ ଦେଖିବାକୁ ମିଳିଥିଲା । ମାତ୍ର ଉକ୍ତ ବୈଠକରେ ଦୁହିଁଙ୍କର ଚାରିଚକ୍ଷୁ ମିଳନ ଘଟି ନଥିଲା ।