ଗୁଜରାଟ ମଇଦାନରୁ ଫୁଲ ସଫା କରିବ ଝାଡୁ

ମୋଦୀଙ୍କ ସହ ତୁଳନା ମୋ ପ୍ରତି ସମ୍ମାନ: କେଜ୍ରିୱାଲ

ଗୁଜରାଟ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା କାମରେ ଅସନ୍ତୁଷ୍ଟ ବିଜେପି ଗୋଷ୍ଠୀ ମୁଖ୍ୟ ଭୂମିକା ନିର୍ବାହ କରିବାର ସମ୍ଭାବନା ରହିଛି । ତାକୁ ଦୃଷ୍ଟିରେ ରଖି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଉପଯୁକ୍ତ ଆସନରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଠିଆ କରିପାରିଲେ, କ୍ଷମତାକୁ ଫେରିପାରିବ ବୋଲି ଅସନ୍ତୁଷ୍ଟ ବିଜେପିର ବଛାବଛା ନେତାମାନେ କହିଛନ୍ତି । ବିଜେପି ଟିକେଟରୁ ବାଦ ପଡ଼ିଥିବା ୩୮ ଜଣ ବିଧାୟକ ଏବେ ଆପ୍‌ ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମାତ୍ର ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ ସେମାନଙ୍କୁ ଟିକେଟ୍‌ ଦେବାର ଚୁଡ଼ାନ୍ତ ନିଷ୍ପତି ନେଇନାହାନ୍ତି ।

ଟିକେଟ୍‌ ଦେବା ବିଷୟ ଏବେ ଆଲୋଚନା ଭିତରେ ସୀମିତ ରହିଛି ବୋଲି ଆପ୍‌ର ଜଣେ ଗୁଜରାଟ ନେତା କହିଛନ୍ତି । ଅସନ୍ତୁଷ୍ଟ ବିଜେପିକୁ କୌଣସିମତେ ମନାଇବା ପାଇଁ ଅମିତ ଶାହ ଅଂଟା ଭିଡିଛନ୍ତି । ମାତ୍ର ବିଜେପିର ପ୍ରଥମ ତାଲିକାଭୁକ୍ତ ଆସନରୁ ବାଦ ପଡ଼ିଥିବା ନେତାମାନେ ଆଉ ଅମିତଙ୍କୁ ଭେଟିବାକୁ ଯିବେନି । ବହୁ ବିଚାରବିମର୍ଶ କରିବା ପରେ ମୋଦୀ ଯେଉଁ ତାଲିକା ତିଆରି କରିଛନ୍ତି, ସେଥିରେ ଅମିତ ହସ୍ତକ୍ଷେପ କରିବେନି; ତେଣୁ ତାଙ୍କ ସହିତ ଆଲୋଚନା କରିବାର ପ୍ରଶ୍ନ ଉଠୁନି ।

ବିଜେପିର କିଛି ବିଦ୍ରୋହୀ ନେତାଙ୍କ ମତରେ ମୋଦୀଜୀ କେନ୍ଦ୍ରକୁ ଯିବା ପରଠାରୁ ଗୁଜରାଟ ଶାସନର ଅବକ୍ଷୟ ଘଟିଛି । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ପରିଚାଳନାର ସୁଯୋଗ ନେଇ ପ୍ରଶାସକ ଓ ସରକାରୀ କର୍ମଚାରୀମାନେ ସ୍ୱେଚ୍ଛାଚାରୀ ହୋଇଯାଇଛନ୍ତି । ନିର୍ବାଚିତ ଲୋକ ପ୍ରତିନିଧିଙ୍କ କଥା ପ୍ରତି କେହି ଧ୍ୟାନ ଦେଉନାହାନ୍ତି । ଗୁଜରାଟରେ କଂଗ୍ରେସର ନେତୃତ୍ୱ ଏବେ ଦୁର୍ବଳପ୍ରାୟ ।

କେଜ୍ରିୱାଲ ଗୁଜରାଟରେ ପାଦ ଦେବା ପରଠାରୁ ଭୋଟରଙ୍କ ମାନସିକତାରେ ପରିବର୍ତନ ଘଟିଛି । ଯଦିଓ ତିନୋଟି ଦଳ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଜମିବାକୁ ଯାଉଛି । ତେବେ କଂଗ୍ରେସ ତୁଳନାରେ ଆପ୍‌ ପ୍ରତି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଛି । ଗୁଜରାଟ ଶାସନରେ ଆପ୍‌ ବଳିଷ୍ଠ ଭୂମିକା ତୁଲାଇବ ବୋଲି ଭୋଟରଙ୍କ ମନରେ ଏକ ଧାରଣା ବସା ବାନ୍ଧିଲାଣି । ଇତିମଧ୍ୟରେ କେଜ୍ରିୱାଲ କହିଲେଣି ଯେ ଲୋକଙ୍କୁ ମାଗଣାରେ ସବୁ ସୁବିଧା ଯୋଗାଇବାର କୁହୁକ କେବଳ ତାଙ୍କୁ ହିଁ ଜଣା । ମୋଦୀଙ୍କ ସହିତ ତାଙ୍କୁ ତୁଳନା କରିବା ଏକ ଗୌରବର ବିଷୟ । ଦେଖାଯାଉ ଆଗାମୀ ନିର୍ବାଚନରେ ଫୁଲକୁ ଓଳାଉ ଓଳାଉ ଝାଡୁ ମୁଣ୍ଡା ହେଉଛି କି ବିଜୟ ମୁକୁଟ ପିନ୍ଧୁଛି ।