ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରେ ନେପାଳ ବିମାନ ଦୁର୍ଘଟଣା: ‘ମୋର ବଂଚିବା ଗୋଟିଏ ଚମକ୍ରାର ମାତ୍ର

ବିମାନଟି ପୋଖରା ମେଟ୍ରୋପଲିଟାନ ସିଟି-୭ ଅନ୍ତର୍ଗତ….

କାଠମାଣ୍ଡୁ: ବିମାନଟି ପୋଖରା ମେଟ୍ରୋପଲିଟାନ ସିଟି-୭ ଅନ୍ତର୍ଗତ ଘରିପାଟନରେ ସକାଳ ପ୍ରାୟ ୧୧ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ବିମାନର ଗୋଟିଏ ପଙ୍ଖା ଗୀତା ସୁନାରଙ୍କ ଘରଠାରୁ ପ୍ରାୟ ୧୨ ମିଟର ଦୂରରେ ଭୂପତିତ ହେଲା । ବିମାନର ଅଗ୍ରଭାଗ ସେତି ଘାଟିରେ ପିଟି ହୋଇ ପୋଖରା-୧୫ ଅନ୍ତର୍ଗତ ନୟାଗାଁଓରେ ପଡ଼ିଲା ମାତ୍ର ପଛଭାଗଟି ଖାଲରେ ପଡ଼ିଗଲା । ଗୀତା ତାଙ୍କ ବୟାନରେ କହିଛନ୍ତି ଯେ ତାଙ୍କର ବଂଚିଯିବା କୌଣସି ଚମକ୍ରାରଠାରୁ କମ୍‌ ନୁହେଁ । ତାଙ୍କ ମତରେ ଯଦି ବିମାନଟି ତାଙ୍କ ଘରଠାରୁ ମାତ୍ର କେଇ ଫୁଟ ଦୂରରେ ପଡ଼ିଥାନ୍ତା; ସାରା ବସ୍ତି ଧ୍ୱଂସ ପାଇ ଯାଇଥାନ୍ତା । ମାତ୍ର ବସ୍ତି ଉପରେ ଈଶ୍ୱରଙ୍କ କୃପା ଥିବାରୁ ଜଳନ୍ତା ବିମାନଟି ବସ୍ତିଠାରୁ ବହୁ ଦୂରରେ ପଡ଼ିଲା । ଫଳରେ ବସ୍ତିର କେହି ମୃତାହତ ହେଲେନାହିଁ କି କାହାର କିଛି କ୍ଷତି ହୋଇନାହିଁ ।

ସୂଚନା ମୁତାବକ ନେପାଳର ପୋଖରାରେ ଦୁର୍ଘଟଣାଗ୍ରସ୍ତ ବିମାନରେ ପାଇଲଟଙ୍କ ସମେତ ଚାରିଜଣ କର୍ମଚାରୀ ଥିଲେ ଓ ୬୮ ଜଣ ଯାତ୍ରୀ ଥିଲେ । ସବୁ ଯାତ୍ରୀ ପ୍ରାଣ ହରାଇ ଥିବାର ଏକପ୍ରକାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ତଥାପି ଉଦ୍ଧାରକାରୀ ଦଳ ତଲାସି ଅଭିଯାନ ଜାରି ରଖିଛନ୍ତି । ମୃତ ଯାତ୍ରୀଙ୍କ ଭିତରେ ୫ ଜଣ ଭାରତୀୟ ଥିଲେ । ବିମାନ ଦୁର୍ଘଟଣା ସଂପର୍କୀତ ବହୁ ଭିଡିଓ ସାମ୍ନାକୁ ଆସିଛି । ଉକ୍ତ ଭିଡିଓରୁ ଜଣାପଡେ଼ ବିମାନଟି ପାହାଡ଼ରେ ପିଟିହେବା ଫଳରେ ପ୍ରକାଣ୍ଡକାୟ ବେଲୁନ ଆକାରର କଳାଧୁଅାଁ ଆକାଶ ମଣ୍ଡଳକୁ ଆଚ୍ଛାଦନ କରି ପକାଇଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ସେମାନେ କିଛି କଳ୍ପନା କରିବା ପୂର୍ବରୁ ବିମାନଟି ଖଣ୍ଡବିଖଣ୍ଡ ହୋଇଗଲା ।
ନେପାଳନିବାସୀ କଳ୍ପନା ସୁନାର କହିଛନ୍ତି, ମକର ସଂକ୍ରାନ୍ତି ପାଳନ କରିବା ପାଇଁ ମାତ୍ର ତିନିଦିନ ତଳେ ସେ ପୋଖରା ଆସିଛନ୍ତି ।

ଘର ଅଗଣାରେ ବସି ଲୁଗାପଟା ଧୋଇବା ସମୟରେ ହଠାତ ଆକାଶକୁ ଦୃଷ୍ଟି ଚାଲିଗଲା । ମୁଁ ଦେଖିଲା ବେଳକୁ କ୍ଷୀପ୍ରଗତିରେ ବିମାନଟିଏ ଆମରି ଆଡ଼କୁ ଆସୁଛି । ବିମାନଟି ଗୋଟିଏ ଜଳନ୍ତା ନିଅାଁପିଣ୍ଡୁଳା ଭଳି ଦିଶୁଥିଲା । କିନ୍ତୁ ହଠାତ୍‌ ବିମାନଟି ଅନ୍ୟ ଦିଗକୁ ଚାଲିଗଲା, ଚାହୁଁଚାହୁଁ ବିରାଟକାୟ ବିସ୍ଫୋରଣ ଆବାଜ କାନରେ ପଡ଼ିଲା । ମୁଁ ଉଠିପଡ଼ି ସେତୀ ନଦୀ ଆଡୁ ବିରାଟକାୟ ବେଲୁନ ଆକାରର କଳାଧୁଅାଁ ଉପରକୁ ଉଠୁଥିବାର ଦେଖିବାକୁ ପାଇଲି ।