୨୦୨୪ ଲୋକସଭା ନିର୍ବାଚନ ପାଇଁ ମୋଦୀଙ୍କ ରୋଡ୍‌ ଶୋ’

ସୋମବାରଠାରୁ ନୂଆଦିଲ୍ଲୀସ୍ଥିତ ବିଜେପି….

ନୂଆଦିଲ୍ଲୀ: ସୋମବାରଠାରୁ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆରମ୍ଭ ହୋଇଛି ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ଉକ୍ତ ବୈଠକରେ କେନ୍ଦ୍ର କମିଟି ଓ ସବୁ ରାଜ୍ୟ ବିଜେପି କମିଟିର ପଦାଧିକାରୀ ଯୋଗ ଦେଇଛନ୍ତି । ବୈଠକରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଏକ ରୋଡ୍‌ ଶୋ’ ଆୟୋଜନ କରିଥିଲେ । ପଟେଲ ଛକରୁ ରୋଡ୍‌ ଶୋ’ ଆରମ୍ଭ ହୋଇ ସଂସଦ ମାର୍ଗ ଦେଇ ଜୟସିଂହ ରୋଡ୍‌ ଜଙ୍କସନ୍‌ ପର୍ଯ୍ୟନ୍ତ ଯାଇଥିଲା । ମୋଦୀଙ୍କ ରୋଡ୍‌ ଶୋ’ ପାଇଁ ସଂସଦ ମାର୍ଗକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ଅପରାହ୍ଣ ୫ ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ।

ଆଗାମୀ ଲୋକସଭା ଓ କେତୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳକୁ ଜିତାଇବା ପାଇଁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରାଯିବ । ଉକ୍ତ ବୈଠକରେ ରାଜ୍ୟ ଓ ଜାତୀୟ ସ୍ତରର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚୂଡ଼ାନ୍ତ ନିଷ୍ପତି ନିଆଯିବାର ଅଛି ।

ଆଜି ରୋଡ୍‌ ଶୋ’ ଆୟୋଜନ କରି ପ୍ରଧାନମନ୍ତ୍ରୀ ମୋଦୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଘୋଷିତ ବିଗୁଲ ବଜାଇଛନ୍ତି । ମୋଦୀଙ୍କ ସହିତ ସିଧାସଳଖ କଥା ହେବା ସହ ଆଂଚଳିକ ସମସ୍ୟା ସଂପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଓଡ଼ିଶାର କିଛି ତୁଙ୍ଗ ନେତା ନୂଆଦିଲ୍ଲୀରେ ପହଂଚିଛନ୍ତି ।
ଚଳିତ ମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସରୁଛି । ପାର୍ଟିର ସାଂଗଠନିକ ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ ଅଧ୍ୟକ୍ଷ କାର୍ଯ୍ୟକାଳକୁ ଆହୁରି କିଛି ମାସ ବୃଦ୍ଧି କରାଯାଇପାରେ । ସୋମବାର ସକାଳ ୧୦ଟାରେ ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ଆରମ୍ଭ ହୋଇଥିଲା । ଅପରାହ୍ଣ ୪ଟାରେ ଏନ୍‌ଡିଏମ୍‌ସି କନ୍‌ଭେସନ୍‌ ସେଂଟରରେ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଚାଲିଛି । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ବହୁ ତୁଙ୍ଗନେତା ଓ ବରିଷ୍ଠ ପଦାଧିକାରୀ ଉକ୍ତ ବୈଠକରେ ଯୋଗ ଦେଇଛନ୍ତି ।