‘ଆଉ ପାକିସ୍ତାନ ଯିବାର ନାହିଁ, ଏଇଠି ରହିବି’

ପାକିସ୍ତାନୀ ମହିଳା ସୀମା ହାଇଦର ଗୁଲାମ ଓ ତା’ ପ୍ରେମିକ ସଚିନଙ୍କୁ ନୋଏଡ଼ା ଜେଲରୁ ମୁକ୍ତ କରାଯାଇଛି । ଦୁହେଁ ଦିନ ୧୧ଟାରେ ରବୁପୁରାସ୍ଥିତ ସଚିନଙ୍କ ଘରେ ପହଂଚିଛନ୍ତି । ଦମ୍ପତି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମନର କଥା କହିଛନ୍ତି । ସୀମା କହିଛନ୍ତି, ‘ମୁଁ ନେପାଳର ପଶୁପତିନାଥ ମନ୍ଦିରରେ ସଚିନଙ୍କୁ ବିବାହ କରିଥିଲି । ହିନ୍ଦୁଧର୍ମ ଗ୍ରହଣ କରିଛି । ତା’ପରେ ସାରା ଦୁନିଆ ମୋତେ ପ୍ରମାଣ ମାଗୁଛି । ତେଣୁ ଆଜି କୋର୍ଟ ବିବାହ କରିବି । ଗଙ୍ଗାସ୍ନାନ କରିବି । ସଚିନଙ୍କୁ ତିନିବର୍ଷ ଧରି ଜାଣିଛି । ତାଙ୍କ ବିନା ବଂଚିବା ଅସମ୍ଭବ । ଆଉ ପାକିସ୍ତାନ ଯିବିନି । ଅନ୍ୟ ଲୋକମାନଙ୍କୁ ମୋର ଖାତିର ନାହିଁ । ମୋର ସ୍ୱାମୀ, ଶାଶୁ, ଶଶୁର ମୋ ପାଇଁ ସବୁକିଛି । ଯୋଗୀ ଓ ମୋଦିଙ୍କୁ ଗୁହାରି କରୁଛି ମୋତେ ଏଇଠି ରହିବାକୁ ଅନୁମତି ଦିଅନ୍ତୁ ।’

ଗଣମାଧ୍ୟମ ସହିତ କଥା ହେଲାବେଳେ ସଚିନ ଓ ସୀମା ଭାରି ଖୁସି ଥିଲେ । ଦୁହିଁଙ୍କର ଗୋଟିଏ ସନ୍ତାନ ଅଛି । ସୀମା ପୁଣି କହିଛନ୍ତି ଯେ ସେ ସଚିନଙ୍କ ପାଇଁ ଏଠାକୁ ଆସିଛନ୍ତି । ଏଠାକାର ଆଇନକାନୁନ, ଚାଲିଚଳଣୀ ତାଙ୍କୁ ପ୍ରଭାବିତ କରିଛି । ସେ କରାଚୀରୁ ଆସିଛନ୍ତି ଓ ଭାରତରେ ସବୁଦିନ ପାଇଁ ରହିବାକୁ ଚାହୁଁଛନ୍ତି ।

ସେ ପାକିସ୍ତାନରୁ ଆସିଥିବା ଜାଣି ଏଠାକାର ଲୋକେ ତାଙ୍କୁ ଯଥେଷ୍ଟ ସମ୍ମାନ ଦେଉଛନ୍ତି । ସଚିନଙ୍କ ଓକିଲ ହେମନ୍ତ କହିଛନ୍ତି, ପୁଲିସ ଉଭୟଙ୍କ ମାମଲାରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବ । ଅନ୍ୟ ସାଧାରଣ ମାମଲା ଭଳି ଏହି ମାମଲା ଚାଲିବ । ପ୍ରତି ତାରିଖରେ ସୀମା ଓ ସଚିନଙ୍କୁ କୋର୍ଟ ଯିବାକୁ ପଡ଼ିବ । ପୁଲିସ ତା’ର ତଦନ୍ତ କରିବ, ଦୁହେଁ ପତି-ପତ୍ନୀ ତଦନ୍ତରେ ପୁଲିସକୁ ସହଯୋଗ କରିବେ ।