ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନ ଯଜ୍ଞରେ ୧୫ଟି ମୁଣ୍ଡ ବଳି

ଶନିବାର ସକାଳ ୭ଟାରୁ ପଶ୍ଚିମବଙ୍ଗର ୭୩,୮୮୭ ଗ୍ରାମ ପଂଚାୟତ ଭିତରୁ ୬୪,୮୭୪ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛିି । ଅନ୍ୟ ୯୦୧୩ ଆସନରେ ପ୍ରାର୍ଥୀମାନେ ନିର୍ବିବାଦୀୟ ଭାବେ ମନୋନୀତ ହୋଇସାରିଛନ୍ତି । ନିର୍ବିବାଦୀୟ ଭାବେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କ ଭିତରୁ ତୃଣମୂଳ କଂଗ୍ରେସର ୮୮୭୪ ଜଣ ଅଛନ୍ତି । ଦିନ ୩ଟା ସୁଦ୍ଧା ମତଦାନ ହାର ୫୧% ହୋଇଥିଲା ।

ନିର୍ବାଚନର ପରିଣାମ ଜୁଲାଇ ୧୧ରେ ଘୋଷଣା କରାଯିବ । ସିଆରପିଏଫ୍‌ ବାହିନୀ ମୁତୟନ ସତ୍ୱେ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ନଜରକୁ ଆସିଛି । ବୁଥ ଦଖଲ, ବ୍ୟାଲେଟ ପେପର ଜଳାଇ ଦିଆଯାଇଥିବା, ବ୍ୟାଲେଟ ପେପର ଚିରିଦେବା ଭଳି ଖବର ଶୁଣିବାକୁ ମିଳିଛି । କୁଚବିହାରର ମାଧଭଙ୍ଗା-୧ ବ୍ଲକ ଅନ୍ତର୍ଗତ ହଜରାହାଟ ଗ୍ରାମରେ ଜଣେ ଯୁବକ ବ୍ୟାଲଟ ବକ୍ସକୁ ଧରି ପଳାୟନ କରିଛି ।

ଦକ୍ଷିଣ ୨୪ ପ୍ରଗଣାର ଭାଙ୍ଗଡ଼ ବ୍ଲକ ଅନ୍ତର୍ଗତ ଜମିରଗାଛି ଅଂଚଳରେ ଆଇଏସଏଫ୍‌ ଓ ଟିଏମସି କର୍ମୀଙ୍କ ଭିତରେ ରକ୍ତପାତ ଘଟିଥିଲା । ସ୍ଥାନୀୟ ଜନତାଙ୍କ ମୁହଁରୁ ଶୁଣିବାକୁ ମିଳିଛି ଯେ ତୃଣମୂଳ କଂଗ୍ରେସ କର୍ମୀମାନେ ସାଙ୍ଗରେ ବୋମା ଧରି ଆସିଥିଲେ । ଲୋକଙ୍କୁ ଡରାଇ ଧମକାଇ ଭୋଟ ନେବାକୁ ଚାହୁଁଥିଲେ । ଗ୍ରାମର କେତେକ ସ୍ଥାନରେ ବୋମା ପକାଇଛନ୍ତି । ଫଳରେ ପ୍ରାୟ ୨ ଘଂଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ବନ୍ଦ ରହିଥିଲା ।

ବିଗତ ୨୪ ଘଂଟା ଭିତରେ ନିର୍ବାଚନୀ ହିଂସାକାଣ୍ଡରେ ୬ଟି ଜିଲ୍ଲାର ୧୫ ଜଣ ଲୋକ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଛି । ମୃତକଙ୍କ ଭିତରେ ତୃଣମୂଳ କଂଗ୍ରେସର ୮ ଜଣ କର୍ମକର୍ତା, ସିପିଆଇଏମର ତିନିଜଣ, କଂଗ୍ରେସ ଓ ବିଜେପିର ଜଣେ ଜଣେ କର୍ମୀ ପ୍ରାଣ ହରାଇଛନ୍ତି । ଏହାବାଦ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କର ପୁଲିଂ ଏଜେଂଟ ଓ ଆଇଏସଏଫର ଜଣେ କର୍ମୀ ନିର୍ବାଚନ ବେଦୀରେ ବଳି ପଡ଼ିଛନ୍ତି । ଜୁନ ୯ ତାରିଖରୁ ରାଜ୍ୟରେ ନିର୍ବାଚନୀ ହାଣକାଟ ଜାରି ରହିଛି । ନନ୍ଦିଗ୍ରାମରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ବଙ୍ଗାଲ ଜଳୁଛି ।