ଯୁବବର୍ଗଙ୍କୁ ଘାରିଛି ସ୍ୱପ୍ନଦୋଷ, ମାସିକ ଧର୍ମ, ହସ୍ତମୈଥୁନ

ସ୍ୱପ୍ନଦୋଷ ଶିକାର ଯୁବକମାନେ ସେମାନଙ୍କ ଅନିଶ୍ଚିତ ଯୌନଜୀବନ କଥା ଭାବି ଚିନ୍ତାରେ ଘାରି ହେଉଛନ୍ତି । ଅନିୟମିତ ଋତୁସ୍ରାବକୁ କେନ୍ଦ୍ର କରି ଯୁବତୀମାନେ ମାନସିକ ସନ୍ତାପ ଭୋଗୁଛନ୍ତି । ମନକଥା କାହା ଆଗରେ କହି ନପାରି ସେମାନେ ମନକୁ ମନ ଚିନ୍ତାରେ ରହୁଛନ୍ତି । କିଛି କଲେଜପଢୁଆ ଛାତ୍ରଛାତ୍ରୀ ଫୋନ୍‌ କରି ପଚାରନ୍ତି, ୧୮ ବର୍ଷ ବୟସ ପୂୂର୍ବରୁ ଯୌନସଂପର୍କ ରଖିଲେ ସ୍ୱାସ୍ଥ୍ୟହାନି ଘଟିବାର ଆଶଙ୍କା ଅଛି କି? କିଶୋରୀ କିଶୋର କମ୍‌ ବୟସରୁ ଶାରୀରିକ ପରିବର୍ତନକୁ ମୁଣ୍ଡରେ ପୁରାଇ ସର୍ବଦା ଚିନ୍ତାଗ୍ରସ୍ତ ରହନ୍ତି । ଶାରୀରିକ ପରିବର୍ତନକୁ ନେଇ ସେମାନେ ଯେତିକି ଖୁସି ହୁଅନ୍ତି, ସେତିକି ଚିନ୍ତାରେ ରୁହନ୍ତି । କେତେକ ଯୁବକ ହସ୍ତମୈଥୁନକୁ ନେଇ ଚିନ୍ତାରେ ପଡ଼ିଥାନ୍ତି । ସେମାନେ ଭାବନ୍ତି ଯେ ସେମାନେ ଭୁଲ କରୁଛନ୍ତି । ପରିବାର ଲୋକେ ଜାଣିଲେ କ’ଣ ଭାବିବେ?

‘ମୁଁ ବହୁତ ଉଦାସ ଅଛି । କାନ୍ଦିବାକୁ ମନ କହୁଛି କିନ୍ତୁ କାନ୍ଦିପାରୁନି । ମେଡିକାଲ ପ୍ରବେଶିକା ପାଇଁ ଇଛାନାହିଁ । ଭଲ ନମ୍ବର ରଖିନି କିନ୍ତୁ ମା’ବାପା ବାଧ୍ୟ କରୁଛନ୍ତି । ଝରକା ପାଖରେ ବସିଛି । ମନ କହୁଛି, ଝରକା ବାଟ ଦେଇ ତଳକୁ ଡେଇଁ ପଡ଼ିବାକୁ ।’ ଏ ବ୍ୟଥା ହେଉଛି କୋଟାରେ ରହି ମେଡିକାଲ ପ୍ରବେଶିକା ପାଇଁ ପ୍ରସ୍ତୁତ ହେଉଥିବା କାବ୍ୟାଙ୍କ ମନକଥା । ମାନସିକ ଚାପରୁ ମୁକୁଳିବା ପାଇଁ କାବ୍ୟା ‘ଟେଲି-ମାନସ’ ହେଲ୍ପ ଲାଇନକୁ ଫୋନ୍‌ କରିଥିଲେ । ହେଲ୍ପ ଲାଇନର ମାନସିକରୋଗ ବିଶେଷଜ୍ଞ କାବ୍ୟାଙ୍କ ସହିତ କଥା ହେଲେ ।

ମାନସିକ ରୋଗ ଚିକିତ୍ସକ ପ୍ରଥମେ କାବ୍ୟାଙ୍କୁ ଶାନ୍ତ ରହିବାକୁ କହିଲେ, ଫୋନ୍‌ ଜରିଆରେ କାଉନସେଲିଂ କଲେ । ମାନସିକରୋଗ ବିଶେଷଜ୍ଞ କାବ୍ୟାଙ୍କ ଅଭିଭାବକଙ୍କ ସହ କଥା ହେଲେ । ଦୁଇସପ୍ତାହ ଧରି କାଉନସେଲିଂ ଚାଲିଲା ।
ରାଂଚିସ୍ଥିତ ସେଂଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇକେଟ୍ରି ଡାକ୍ତର ସୁରଜିତ ପ୍ରସାଦ କହନ୍ତି, ମାନସିକ ଚାପରୁ ଯୁବକ ଯୁବତୀଙ୍କୁ ମୁକ୍ତ କରିବା ପାଇଁ ଟେଲି-ମାନସ କାମ କରୁଛି ।

ଭାରତରେ ଅଧିକାଂଶ ଯୁବକ ଯୁବତୀଙ୍କ ମାନସିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ । ମାତ୍ର ୮ ମାସ ଭିତରେ ପ୍ରାୟ ୨ ଲକ୍ଷ ଯୁବକ ଯୁବତୀ ଟେଲି-ମାନସ’କୁ ଫୋନ୍‌ କରିବା ଛୋଟକଥା ନୁହେଁ । ୧୨-୧୩ ବର୍ଷ ବୟସର ଛୋଟପିଲାଙ୍କଠାରୁ ଆରମ୍ଭ କରି ୬୫-୭୦ ବର୍ଷ ପର୍ଯ୍ୟନ୍ତ ଲୋକମାନେ ଟେଲି-ମାନସ’ର ସହାୟତା ଲୋଡ଼ିଛନ୍ତି । ତେବେ ୧୮ରୁ ୩୫ ବର୍ଷ ବୟସର ଯୁବକ ଯୁବତୀଙ୍କ ସଂଖ୍ୟା ଟିକେ ଅଧିକ ।

ସର୍ବେକ୍ଷଣରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି, ପିଲାଙ୍କ ଶାରୀରିକ ପରିବର୍ତନ ଓ ମାନସିକ ବିକାଶକୁ ଦୃଷ୍ଟିରେ ରଖି ଅଭିଭାବକମାନେ ସେମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରଖିବା ଉଚିତ । ପିଲାମାନେ ଆଗୁଆ ନକହିଲେ ମଧ୍ୟ ବାପାମା’ ସେମାନଙ୍କ ଆଡୁ ପିଲାଙ୍କ ସହିତ ମନଖୋଲି କଥା ହୁଅନ୍ତୁ । ସେମାନଙ୍କ ମନରୁ ନାନା ବିଭ୍ରାନ୍ତ ଦୂର ପାଇଁ ଚେଷ୍ଟା କରନ୍ତୁ ।