ନବୀନ ପଟ୍ଟନାୟକ: ଠିକା ମୁଖ୍ୟମନ୍ତ୍ରୀରୁ ସ୍ଥାୟୀ ମୁଖ୍ୟମନ୍ତ୍ରୀ

୨୦୦୦ ନିର୍ବାଚନରେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବହନ କଲେ ନବୀନ ପଟ୍ଟନାୟକ । ସେହି ୫ ବର୍ଷର ଶାସନ କାଳକ୍ରମେ ବୃଦ୍ଧି ପାଇ ୨୩ ବର୍ଷ ହୋଇଗଲାଣି । ୫ ବର୍ଷର ଠିକା ମୁଖ୍ୟମନ୍ତ୍ରୀ ତାଙ୍କ ଦକ୍ଷତା ବଳରେ ୨୩ ବର୍ଷ କାଳ କ୍ଷମତାରେ ରହିଲେଣି । ରାଜ୍ୟର ଲକ୍ଷ ଲକ୍ଷ ଠିକା କର୍ମଚାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ କିଛି ଶିଖିବା ଦରକାର । ସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତ କରିବା ନିହାତି ଦରକାର ଠିକ୍‌ ଯେପରି ୟୁପିଏସ୍‌ସି ଜରିଆରେ ଆଇଏଏସ୍‌, ଆଇପିଏସ୍‌, ଆଇଏଫଏସ୍‌ ଅଧିକାରୀମାନେ ସ୍ଥାୟୀ ନିଯୁକ୍ତି ପାଇ ଆସୁଛନ୍ତି ।

ରାଜନୈତିକ ଦଳର ନେତାମାନେ ୫ ବର୍ଷ ପାଇଁ ଠିକା ଦାୟିତ୍ୱ ବହନ କରି ଯଦି ସ୍ଥାୟୀ ପ୍ରଶାସକଙ୍କ ଜରିଆରେ ଶାସନ ପରିଚାଳନା କରୁଛନ୍ତି । ତେବେ ପ୍ରଶାସନିକ ଅଧିକାରୀମାନେ ତଳସ୍ତରର କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତିକୁ ଏଡ଼ାଇ ଯାଉଛନ୍ତି କାହିଁକି? ସବୁ କାମ ଯଦି ଠିକା କର୍ମଚାରୀଙ୍କ ଜରିଆରେ ଚାଲିବ, ତେବେ ରାଜ୍ୟରେ ଆଇଏଏସ୍‌, ଆଇପିଏସ୍‌ ଅଧିକାରୀଙ୍କର ଆବଶ୍ୟକତା ଦରକାର ନାହିଁ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ଯୋଉ ପ୍ରସାଦ ପାଇଛନ୍ତି, ତା’ର ଅସଲ ହକଦାର ଭିକେ ପାଣ୍ଡିଆନ । ସବୁ ନାଟ ଲଗାଇ ଖସିଗଲେ ପାଣ୍ଡିଆନ, ବିଚରା ହଟହଟା ହେଲେ ପୂଜାରୀ ।

ସ୍ଥାୟୀ ନିଯୁକ୍ତି ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ପୂଜାରୀଙ୍କଠାରୁ ଠୋସ୍‌ ଜବାବ ନପାଇବାରୁ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଠିକା କର୍ମଚାରୀଙ୍କ ହାତରେ କମ୍‌ ଦରମା ଧରାଇ ଯଦି ସ୍ଥାୟୀ କର୍ମଚାରୀଙ୍କ ଭଳି କାମ ଆଦାୟ କରାଯାଇପାରୁଛି । ତେବେ ସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତ କରିବା ଦରକାର ନାହିଁ । ଭିକେ ପାଣ୍ଡିଆନଙ୍କ ଏହି ପରାମର୍ଶ ରାଜ୍ୟ ମନ୍ତ୍ରିମଣ୍ଡଳକୁ ଅପଦାର୍ଥ କରିଛି । ରାଜ୍ୟର ବିଧାୟକ ଓ ସାଂସଦଙ୍କ ଗୁରୁତ୍ୱକୁ ମାମୁଲି କରିଦେଇଛି । କର୍କଟ କେନ୍ଦ୍ରର ପରିଚାଳନା ପରିଷଦ ବୈଠକ ଶେଷ ହେବାମାତ୍ରେ ଠିକା କର୍ମଚାରୀମାନେ ମନ୍ତ୍ରୀ ପୂଜାରୀଙ୍କୁ ଘେରି ଯାଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ପୂଜାରୀ ତାଙ୍କ ଗାଡ଼ିରେ ବସିପାରିଲେନି । ବେଶ କିଛି ସମୟ ପାଇଁ ଧସ୍ତାଧସ୍ତି ଠେଲାପେଲା ଚାଲିଥିଲା । ରାଜ୍ୟ ସରକାର କିଛି ଗୋଟାଏ କରିିବେ ନିଶ୍ଚିତ । ନିର୍ବାଚନ ଥିବାରୁ ଠିକା କର୍ମଚାରୀଙ୍କ ମନରୁ ଅସନ୍ତୋଷ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ କିଛି ଗୋଟିଏ ଭେଳିକି ଦେଖାଇବେ ନିଶ୍ଚିତ । ଭେଳିକି ଦେଖାଇ ବାହାବା ନେବାର କଳା ନବୀନ ପଟ୍ଟନାୟକଙ୍କୁ ଜଣା ।