ଛାତ୍ର ନିର୍ବାଚନରୁ ଅଲଗା ରୁହନ୍ତୁ ରାଜନୈତିକ ଦଳ

ବିଜେବି କଲେଜରେ ରକ୍ତପାତ ଘଟିଯାଇଛି । ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଯଦି ଶିକ୍ଷାନୁଷ୍ଠାନଗୁଡ଼ିକର ପବିତ୍ର ପରିବେଶ ଲାଲ ହୋଇଯାଉଛି; ତେବେ ନିର୍ବାଚନ ଓ ତା’ର ପରବର୍ତୀ ସ୍ଥିତି ଆହୁରି ସଂଗୀନ ନହେବ କାହିଁକି? ଏହାକୁ କେନ୍ଦ୍ର କରି ଓଡ଼ିଶା ସଚେତନ ନାଗରିକ ମଂଚ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଛାତ୍ର ରାଜନୀତିରେ କୌଣସି ରାଜନୈତିକ ଦଳର ପୃଷ୍ଠପୋଷକତା ରହିବା ଅନୁଚିତ । କଂଗ୍ରେସ, ବିଜେଡି, ବିଜେପି ପ୍ରଭୃତି ରାଜନୈତିକ ଦଳର ଛାତ୍ର ସଂଗଠନ କଲେଜ ନିର୍ବାଚନରେ ମୁଖ୍ୟ ଭୂମିକା ଗ୍ରହଣ କରିବାରୁ କଲେଜର ଶିକ୍ଷା ପରିବେଶ କ୍ରମେ ହିଂସା ଓ ଅରାଜକତାକୁ ପ୍ରଶ୍ରୟ ଦେଉଛି ।

ବହୁ ରାଜନୈତିକ ଦଳର ବରିଷ୍ଠ ନେତାମାନେ କହନ୍ତି ଯେ କଲେଜ ସ୍ତରରୁ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ନେତାମାନେ ପରବର୍ତୀ ସମୟରେ ଦେଶ ଓ ରାଜ୍ୟ ରାଜନୀତିର ଉତରାଧିକାରୀ ହୋଇଥାନ୍ତି । ଛାତ୍ରଛାତ୍ରୀ କଲେଜ ସ୍ତରରୁ ପ୍ରତ୍ୟକ୍ଷ ରାଜନୀତି ସଂପର୍କରେ ଜ୍ଞାନ ଆହରଣ କରିବା ଉଚିତ ବୋଲି ବହୁ ବୁଦ୍ଧିଜୀବୀ ମତାମତ ପ୍ରଦାନ କରନ୍ତି । କିନ୍ତୁ ପ୍ରତ୍ୟକ୍ଷ ରାଜନୀତିର କଦର୍ଯ୍ୟ ଚେହେରା ଯେ କଲେଜର ଶିକ୍ଷା ପରିବେଶକୁ କଳୁଷିତ କରୁଛି ତାହା ବିଭିନ୍ନ କଲେଜର ହିଂସାକାଣ୍ଡରୁ ଜଣାଯାଉଛି ।

ରାଜନୈତିକ ନେତାମାନଙ୍କ ପରାମର୍ଶକୁ ବ୍ରହ୍ମାଙ୍କ ବାଣୀ ମଣି କଲେଜର ଛାତ୍ରଛାତ୍ରୀମାନେ ବିଶୃଙ୍ଖଳାକୁ ଆଦରି ନେଉଛନ୍ତି । ସାଧାରଣ ନିର୍ବାଚନରେ ଯେପରି ରାଜ୍ୟର କେତୋଟି ବିଧାନସଭା ଅଂଚଳରେ ରକ୍ତପାତ ଦେଖିବାକୁ ମିଳେ । କଳେଜ ନିର୍ବାଚନ ସମୟରେ ମଧ୍ୟ ସେମିତି ରକ୍ତପାତ ଘଟୁଥିବାର ଖବର ସାମ୍ନାକୁ ଆସୁଛି । ବରିଷ୍ଠ ରାଜନେତାଙ୍କ ଉଗ୍ର ବିଚାରଧାରାରେ ଉଦବୁଦ୍ଧ ହୋଇ କିଛି ଛାତ୍ରଛାତ୍ରୀ କଲେଜକୁ ରଣକ୍ଷେତ୍ର ମଣିଥାନ୍ତି ।

କଲେଜ ନିର୍ବାଚନକୁ ଶୃଙ୍ଖଳାର ସହିତ ପରିଚାଳନା କରିବାକୁ ପ୍ରିନ୍‌ସିପାଲ, ଅଧ୍ୟାପକ, ଅଧ୍ୟାପିକାମାନେ ସକ୍ଷମ ହୋଇପାରୁନାହାନ୍ତି । ତା’ର ମୂଳ କାରଣ ରାଜନୈତିକ ଦଳର ଦବଦବା । ସବୁ ଦିଗରୁ ଆଲୋଚନା କରି ଓଡ଼ିଶା ସଚେତନ ନାଗରିକ ମଂଚ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଉଛି ଯେ କଲେଜରେ ନିର୍ବାଚନ କରାଯାଉ ମାତ୍ର ସେଥିରେ କୌଣସି ରାଜନୈତିକ ଦଳର ସଂପୃକ୍ତି ନରହୁ । କୌଣସି ରାଜନୈତିକ ଦଳର କୁଜିନେତା ଅବା ବଡ଼ନେତା ସଂପୃକ୍ତ ଥିବାର ପ୍ରମାଣ ମିଳିଲେ, ସଂପୃକ୍ତ ରାଜନୈତିକ ଦଳକୁ ଅଯୋଗ୍ୟ ଘୋଷଣା କରାଯାଉ ।