ପେଟ ପାଇଁ ଭିକ ମାଗୁଛି ପାକିସ୍ତାନ

ପାକିସ୍ତାନରେ ଆର୍ଥିକ ସଂକଟ ସ୍ଥିତି ସାଙ୍ଘାତିକ..

ନୂଆଦିଲ୍ଲୀ: ପାକିସ୍ତାନରେ ଆର୍ଥିକ ସଂକଟ ଉପୁଜିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶ ଛୁଇଁଲାଣି । ବିଦେଶୀ ମୁଦ୍ରା ଭଣ୍ଡାରରେ ମାତ୍ର ୪୧ ହଜାର କୋଟି ମହଜୁଦ ଅଛି ଯାହା ମାତ୍ର ୩ ସପ୍ତାହର ଖର୍ଚ୍ଚରାଶି । ପାକିସ୍ତାନ କେବେ ଏଭଳି ସଂକଟରେ ପଡ଼ି ନଥିଲା । ବିଗତ ୮ ବର୍ଷ ଭିତରେ ପ୍ରଥମ ଥର ପାଇଁ ପାକିସ୍ତାନ କପର୍ଦ୍ଦକଶୂନ୍ୟ ଭିକାରି ହୋଇଯାଇଛି । ବିକଳ ଦୃଷ୍ଟିରେ ଅନାଇଛି ସାଉଦି ଆରବ, ଚୀନ ଓ ବିଶ୍ୱ ମୁଦ୍ରା ପାଣ୍ଠିକୁ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ବିଶ୍ୱର ବହୁ ରାଷ୍ଟ୍ରକୁ ଚିଠି ଲେଖି ଆର୍ଥିକ ସହାୟତା ଲୋଡ଼ିଛନ୍ତି । ସାଉଦି ଆରବରୁ ପାକିସ୍ତାନକୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ରହିଛି । ସାଉଦି ରାଜକୁମାର ମହମ୍ମଦ ବିନ୍‌ ସଲମନ ପାକିସ୍ତାନକୁ ୧୦ କୋଟି ଡଲାର ନିବେଶ କରିବାକୁ ସଂକେତ ଦେଇଛନ୍ତି ।

ପାକିସ୍ତାନ ସେନାଧ୍ୟକ୍ଷ ହେବାର ଦେଢ଼ମାସ ପରେ ଜେନେରାଲ ସୈୟଦ ଅସୀମ ମୁନୀର ୨୦୨୩ ଜାନୁଆରୀ ୫ ତାରିଖରେ ସାଉଦି ଆରବ ଯାଇଥିଲେ । ୨୦୨୨ ମେ’ ମାସରେ ପାକ୍‌ ପ୍ରଧାନମନ୍ତ୍ରୀ ଶରିଫ ସାଉଦି ଆରବ ଯାଇ ସମ୍ରାଟଙ୍କଠାରୁ ୮ କୋଟି ଡଲାର ସହାୟତା ପାଇବାକୁ ସକ୍ଷମ ହୋଇଥିଲେ । ଆର୍ଥିକ ସହାୟତା ସମେତ ପାକିସ୍ତାନକୁ ରିହାତି ମୂଲ୍ୟରେ ପୂର୍ବାପେକ୍ଷା ଦୁଇଗୁଣ ଅଶୋଧିତ ତୈଳ ଯୋଗାଇବା ପାଇଁ ସାଉଦି ଆରବ ପ୍ରତିଶ୍ରୁତିବଦ୍ଧ ହୋଇଛି ।

୨୦୧୮ରେ ଇମ୍ରାନ୍‌ ଖାନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବାର ପ୍ରଥମ ମାସରେ ସାଉଦି ଆରବ ଗସ୍ତ କରିଥିଲେ । ୪ ବର୍ଷ ଶାସନ କାଳ ଭିତରେ ଇମ୍ରାନ୍‌ ପ୍ରାୟ ୩୨ ଥର ବିଦେଶ ଗସ୍ତରେ ଯାଇଥିଲେ, ତନ୍ମଧ୍ୟରୁ ୮ ଥର ସାଉଦି ଆରବ ଗସ୍ତ କରିଥିଲେ । ଚୀନ ପାକିସ୍ତାନକୁ ଆର୍ଥିକ ସହାୟତା ଦେବା ପୂର୍ବରୁ ଆପଣା ଫାଇଦା ବିଷୟ ଚିନ୍ତା କରିବ । ସେହିଭଳି ବିଶ୍ୱ ମୁଦ୍ରା ପାଣ୍ଠିରୁ ପାକିସ୍ତାନକୁ ସହାୟତା ମିଳିବାର ସମ୍ଭାବନା କ୍ଷୀଣ । ଏପରି ସଂକଟରେ ଏକମାତ୍ର ସାଉଦି ଆରବ ହିଁ ପାକିସ୍ତାନର ଏକମାତ୍ର ସାହା ଭରସା ।