୫୦ ଯାତ୍ରୀଙ୍କୁ ନନେଇ ଉଡ଼ିଗଲା ବିମାନ

ରନୱେ ଉପରେ ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ଉଡ଼ିଗଲା ବିମାନ

ନୂଆଦିଲ୍ଲୀ: ସୋମବାର ସକାଳ ୬ଟା ୩୦ ମିନିଟର ଘଟଣା । ବିମାନସେବା ପ୍ରଦାନକାରୀ ସଂସ୍ଥା ‘ଗୋ ଫାର୍ଷ୍ଟ’ର ଗୋଟିଏ ବିମାନ ବେଙ୍ଗାଲୁରୁ ବିମାନ ବନ୍ଦର ରନୱେ ଉପରେ ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ଦିଲ୍ଲୀ ପଳାଇ ଯାଇଥିଲା । ଯାତ୍ରୀମାନେ ବସ୍‌ରେ ବସି ରନୱେ ନିକଟରେ ପହଂଚିବାର କେଇ ସେକେଣ୍ଡ ଭିତରେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା । ବସ୍‌ ଭିତରେ ଥାଇ ଯାତ୍ରୀମାନେ ବିମାନର ପାଇଲଟଙ୍କ ସିଗନାଲକୁ ଅପେକ୍ଷା କରିଥିଲେ ।

ବିମାନଟି ଉଡ଼ାଣ ପାଇଁ ଉଦ୍ୟମ କଲାବେଳେ ଯାତ୍ରୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ପାଇଲଟଙ୍କ ଅକ୍ଷମଣୀୟ ତ୍ରୁଟି ପାଇଁ ସଂପୃକ୍ତ ବିମାନ ସଂସ୍ଥା ଯାତ୍ରୀଙ୍କୁ କ୍ଷମା ଭିକ୍ଷା କରିଛି । ସବୁ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଂଚାଇବାକୁ ବିକଳ୍ପ ବ୍ୟବସ୍ଥା କରିବାକୁ ରାଜି ହୋଇଛି ।

ଏପରି ବେପରୁଆ କାମ ପାଇଁ ଡିଜିସିଏ ଗୋ-ଫାର୍ଷ୍ଟ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଛି । ଏଥିପାଇଁ ଗୋ-ଫାର୍ଷ୍ଟକୁ ଦୁଇ ସପ୍ତାହ ମହଲତ ଦିଆଯାଇଛି । ଯାତ୍ରୀଙ୍କୁ ହଇରାଣ କରିଥିବାରୁ ଗୋ-ଫାର୍ଷ୍ଟ ବିନା ଦ୍ୱିଧାରେ କ୍ଷମା ପ୍ରାର୍ଥନା କରି ଏଭଳି ଭୁଲ ଦୋହରାଇବାକୁ ମନା କରିଛି ।