ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଭବିଷ୍ୟ

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ନେମାଳ ଗ୍ରାମର….

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ନେମାଳ ଗ୍ରାମର ଏକ ମାଇଲ ଦୂରବର୍ତ୍ତୀ ତିଳକଣା ବା ତ୍ରିପୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୀନବନ୍ଧୁ ଖୁଣ୍ଟିଆ , ମାତାଙ୍କ ନାମ ପଦ୍ମାବତୀ ଓ ଅଜାଙ୍କ ନାମ ଗୋପୀନାଥ ଖୁଣ୍ଟିଆ । ଅଚ୍ୟୁତାନନ୍ଦ ମାଘମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଜନ୍ମଗ୍ରହଣ କରିଥିଲେ । ଅଚ୍ୟୁତାନନ୍ଦଙ୍କ ଜନ୍ମ ଜଗନ୍ନାଥଙ୍କ କୃପାବଳରୁ ହୋଇଥିଲା । ତାଙ୍କ ପିତା ଦୀନବନ୍ଧୁ ଅପୁତ୍ରିକ ଯୋଗୁଁ ଜଗନ୍ନାଥଙ୍କ ଶରଣାପନ୍ନ ହେଲେ । ଶ୍ରୀକ୍ଷେତ୍ରରେ କିଛିକାଳ ଅବସ୍ଥାନ କଲାପରେ ଜଗନ୍ନାଥ ପ୍ରସନ୍ନ ହୋଇ ସ୍ବପ୍ନାଦେଶ ଦେଲେ । ଏହାପରେ ଦୀନବନ୍ଧୁ ଗୃହକୁ ଫେରି ଆସିଲେ । ଉକ୍ତ ଦିବସର ଦଶମାସ ଦଶ ଦିନରେ ପଦ୍ମାବତୀଙ୍କ ଗର୍ଭରୁ ସେହି ପ୍ରଥିତ ଯଶା ମହାପୁରୁଷ ଜନ୍ମଗ୍ରହଣ କରିଥିଲେ ।

ଅଚ୍ୟୁତାନନ୍ଦ ପାଞ୍ଚବର୍ଷ ପରେ ବିଦ୍ୟାଶିକ୍ଷା କରିଥିଲେ । ବିଦ୍ୟାପଠନରେ ମନଯୋଗ ଥିଲେ ହେଁ ତାଙ୍କର ଉଦାସ ଭାବ ପିତାମାତାଙ୍କୁ ଦୁଃଖିତ କରିଥିଲା । ଧର୍ମଭାବ ତାଙ୍କ ହୃଦୟକୁ ଏପରି ଦୃଢ଼ ଭାବରେ ଅଧିକାର କରିଥିଲା ଯେ ବିଷୟ ବାସନା ତାଙ୍କୁ ବିଚଳିତ କରିପାରି ନଥିଲା । ବୃଦ୍ଧ ଦୀନବନ୍ଧୁ ସପୁତ୍ର ପୁରୀ ଧାମକୁ ଗମନ କରିଥିଲେ । ପୁରୀ ବଡ଼ଦାଣ୍ଡରେ ଅଚ୍ୟୁତ ନିଜ ପିତାଙ୍କ ସହ ଚୈତନ୍ୟଙ୍କୁ ସାକ୍ଷାତ କରିଥିଲେ । ଚୈତନ୍ୟ ପ୍ରୀତ ହୋଇ ସନାତନ ଗୋସ୍ଵାମୀଙ୍କ ଦ୍ବାରା ଦୀକ୍ଷା ପ୍ରଦାନ କରାଇଥିଲେ । ଦୀକ୍ଷା ନେଇ ଅଚ୍ୟୁତାନନ୍ଦ ଗ୍ରାମକୁ ଫେରି ଆସି ତିଳକଣା ବରଗଛ ମୂଳରେ ଧ୍ୟାନ ଧାରଣା ଆରମ୍ଭ କରିଦେଲେ ଏବଂ ଦଶବର୍ଷ ଦଶମାସ ପରେ ତାଙ୍କ ଚିତ୍ତ ନିଶ୍ଚଳ ହୋଇ ଯାଇଥିଲା ଏବଂ ବଟମୂଳେ ଧ୍ୟାନସ୍ଥ ହୋଇ ବ୍ରହ୍ମାଣ୍ଡ ଠାକୁରଙ୍କ ଦର୍ଶନ ଲାଭ କରିଥିଲେ । ସର୍ବାଙ୍ଗ ଜ୍ୟୋତିରେ ଉଦ୍ଭାସିତ ହୋଇଥିଲା ଏବଂ ଜ୍ଞାନର ସ୍ବତଃ ସ୍ପୂରଣ ହେଲା । ଗୀତା ଭାଗବତ ମନ୍ତ୍ର ଯନ୍ତ୍ର ତନ୍ତ୍ର ସିଦ୍ଧାନ୍ତ ଯୋଗାନ୍ତ ନାଗାନ୍ତ ବେଦାନ୍ତ ଆଦିରେ ବ୍ୟୁତ୍ପତ୍ତି ହୋଇଗଲା । କ୍ରମଶଃ ଜନରୁ ଜ୍ଞାନ ପରିସର ଅଦ୍ଭୁତ ରୂପେ ବୃଦ୍ଧି ଲାଭ କଲା ଏବଂ ସ୍ବୀୟ ଜ୍ଞାନକୁ ଶିଷ୍ୟମାନଙ୍କୁ ବିତରଣ କଲେ । ଭକ୍ତ ଶିଷ୍ୟ ପ୍ରଶିଷ୍ୟଙ୍କୁ ସଙ୍ଗରେ ଧରି ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ପ୍ରଦକ୍ଷିଣ କରି ଶ୍ରୀଗୌରାଙ୍ଗଙ୍କ ଠାରୁ ଖୋଳ କରତାଳ ଗ୍ରହଣ କରି ଓ କୌପୀନ ପ୍ରାପ୍ତ ହୋଇ ରାମେଶ୍ବର , ଚିତ୍ରକୂଟ , ଦ୍ବାରିକା , ଅଯୋଧ୍ୟା , କାଶୀ ,ପ୍ରୟାଗ , ମଥୁରା ଆଦି ଦର୍ଶନ କରି ବୃନ୍ଦାବନରେ ପରିକ୍ରମା ସାରି ପୁରୀ ପ୍ରତ୍ୟାବର୍ତ୍ତନ କରିଥିଲେ । ବଡ଼ଦାଣ୍ଡରେ ଚୈତନ୍ୟଙ୍କ ସହ ପୁନଃ ମିଳନ ହୋଇଥିଲା ଏବଂ ଶ୍ରୀ ଗୌରାଙ୍ଗଙ୍କ ଆଦେଶ ମତେ ସେ ବଳରାମ , ଜଗନ୍ନାଥ ଦାସଙ୍କ ସମେତ ଶିଷ୍ୟମାନଙ୍କୁ ଧରି ଉଦ୍ଦଣ୍ଡ କୀର୍ତ୍ତନରେ ଯୋଗଦାନ କରିଥିଲେ ।

ରାଜାଙ୍କ ଠାରୁ ସମ୍ମାନ ଲାଭ କରି ଓ ରାଜାଙ୍କ ଇଙ୍ଗିତରେ ଅଚ୍ୟୁତ ବାଙ୍କୀ ମୁହାଣରେ କରିଗବାସ ନିର୍ମାଣ କରି ନିରାଲମ୍ବ ଧ୍ୟାନରେ ନିମଗ୍ନ ରହିଲେ । ଏହି ମଠର ନାମ ଗୋପାଳ ମଠ । ଏହି ମଠରେ ଅଷ୍ଟଗୁଜ୍ଜରୀ , ବୟାଳିଶ ଚୌପଦୀ , ଦୂତୀବୋଧ ଚ‌ଉତିଶା କେତେକ ଭଜନ ଗ୍ରନ୍ଥ ରଚନା କରିଛନ୍ତି ।