ଭାରତକୁ ପରମାଣୁ ଧମକ ଦେଲା ପାକିସ୍ତାନ

ପାକିସ୍ତାନ ସେ ରାଷ୍ଟ୍ର ନୁହେଁ ଯେ ଗାଲରେ ଚାପୁଡ଼ା ଖାଇ ଆରପାଖ ଗାଲକୁ ଦେଖାଇଦେବ….

ଇସଲାମାବାଦ: ଭାରତକୁ ତୁଚ୍ଛା ଧମକ ପ୍ରକ୍ରିୟାରୁ ପଛକୁ ହଟୁନି ପାକିସ୍ତାନ । ପାକ୍‌ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କ ଅଭଦ୍ରୋଚିତ ମନ୍ତବ୍ୟ ପରେ ଆଉ ଜଣେ ମନ୍ତ୍ରୀ ଭାରତକୁ ପରମାଣୁ ଆକ୍ରମଣ ଧମକ ଦେଇଛନ୍ତି । ବିଲାବଲଙ୍କୁ ସମର୍ଥନ କରି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସାଜିଆ ମର୍ରି ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ପାକିସ୍ତାନ ଏକ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ବୋଲି ଭାରତ ଭୁଲି ନଯାଉ । ଚାପୁଡ଼ା ମାରିବାର ଜବାବ ଚାପୁଡ଼ାରେ ଦେବା ପାକିସ୍ତାନକୁ ଜଣା । ପାକିସ୍ତାନ ସେ ରାଷ୍ଟ୍ର ନୁହେଁ ଯେ ଗାଲରେ ଚାପୁଡ଼ା ଖାଇ ଆରପାଖ ଗାଲକୁ ଦେଖାଇଦେବ ।

ସାଜିୟାଙ୍କ ବୟାନରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ଗୁରୁତ୍ୱପୂର୍ଣ୍ଣ ଭାଷଣର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପାକିସ୍ତାନକୁ ଆତଙ୍କବାଦୀଙ୍କ ଏନ୍ତୁଡିଶାଳ କହି ଜୟଶଙ୍କର ସାଜିୟାଙ୍କ ଲାଞ୍ଜରେ ହାତ ମାରି ଦେଇଛନ୍ତି ।

ସାଜିୟା ପୁଣି କହିଛନ୍ତି, ଭାରତରେ ବସବାସ କରୁଥିବା ମୁସଲିମ ସମୁଦାୟଙ୍କୁ ଦମନ କରିବା ପାଇଁ ସରକାର ଯୋଜନାବଦ୍ଧ ଷଡ଼ଯନ୍ତ୍ର ଚଳାଇଛନ୍ତି । ସେମାନଙ୍କୁ ଆତଙ୍କବାଦୀ ଭାବେ ଚିତ୍ରଣ କରାଯାଉଛି । ଦଳିତ ପରିବାର ପ୍ରତି ଅତ୍ୟାଚାର କରାଯାଉଛି । ମୋଦୀ କ୍ଷମତାସୀନ ପରଠାରୁ ଧର୍ମ ନିରପେକ୍ଷ ଭାରତ କ୍ରମେ ହିନ୍ଦୁତ୍ୱ ବାଟରେ ଆଗେଇ ଚାଲିଛି । ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ ସେଠାରେ ରକ୍ତର ନଦୀ ପ୍ରବାହିତ ହୋଇଥିଲା ।