ପାକ୍‌ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଉପରେ ଭୋଟ ଖାରଜ ହୋଇଛି । ବିଦେଶୀ ଷଡଯନ୍ତ୍ରର ଅଭିଯୋଗ କହି ଅବିଶ୍ୱାସ ପ୍ରସ୍ତାବକୁ ଉପବାଚସ୍ପତି ପ୍ରତ୍ୟାଖ୍ୟାନ କରିଛନ୍ତି । ସେହିପରି ପ୍ରମୁଖ ସହଯୋଗୀ ମୁତାହିଦା କ୍ୱାମି ମୁଭମେଣ୍ଟ ପାକିସ୍ଥାନ ଏହାର ସମର୍ଥନ ପ୍ରତ୍ୟାହାର କରିନେଲା ପରେ ଇମ୍ରାନ ସରକାର ବହୁମତ ହରାଇ ସାରିଛି । ଅନ୍ୟପକ୍ଷରେ ପାକିସ୍ତାନରେ ରାଜନୈତିକ ଅସ୍ତିରତାକୁ ଦୃଷ୍ଟିରେ ରଖି ସଂସଦର ଚାରିପାଖରେ ଥିବା ଅଞ୍ଚଳକୁ ସିଲ କରାଯାଇଛି । ସେହିପରି ଇସଲାମାବାଦରେ ଧାରା ୧୪୪ ବଳବତ୍ତର ରହିଛି ।

ଅନ୍ୟପକ୍ଷରେ ଇମ୍ରାନ ଖାନ ଦେଶର ଯୁବପିଢିଙ୍କୁ ତାଙ୍କ ସରକାର ବିରୁଦ୍ଧରେ ହୋଇଥିବା ଏକ ବିଦେଶୀ ଷଡଯନ୍ତ୍ର ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାକୁ ନିବେଦନ କରିଛନ୍ତି । କିନ୍ତୁ ପାକିସ୍ତାନୀ ସେନାକୁ ସମାଲୋଚନା ନକରିବାକୁ ମଧ୍ୟ କହିଛନ୍ତି । ଏହାକୁ ଦେଶର ଭବିଷ୍ୟତ ପାଇଁ ଯୁଦ୍ଧ ବୋଲି କହି ଖାନ କହିଛନ୍ତି ଯେ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଠିଆ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନର ରାଜନୀତି ଏପରି ସ୍ଥିତିରେ ପହଞ୍ଚିଛି ଯେଉଁଠାରେ ଦେଶର ଲୋକଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ।