ପେଟ୍ରୋଲ ଓ ଡିଜେଲ ଦର କମିବନି

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ସଫା ସଫା କହିଛନ୍ତି, ଏବେ ପେଟ୍ରୋଲ ଓ ଡିଜେଲ ଦର କମିବାର ପ୍ରଶ୍ନ ଉଠୁନି । ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳଦର ବେଶ ଚଢ଼ା ରହିଛି । ଦେଶରେ ଚାହିଦା ମୁତାବକ ପେଟ୍ରୋଲ ଓ ଡିଜେଲ ମହଜୁଦ ରଖିବା ପ୍ରତି ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର ।

ଅଶୋଧିତ ତୈଳଦର ବଢ଼ିବା କାରଣରୁ ଇଣ୍ଡିଆନ ଅଏଲ, ବିପିସିଏଲ ଓ ଏଚପିସିଏଲ ତୈଳ କମ୍ପାନୀଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି । ତୈଳ ଦର କମାଇବା ପ୍ରସଙ୍ଗରେ କମ୍ପାନୀ ସହିତ ଆଲୋଚନା ହୋଇନାହିଁ ।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଉଦବେଗଜନକ ଭାବେ ବୃଦ୍ଧି ପାଉଥିଲା ବେଳେ ଦେଶରେ ତୈଳଦର ବେଶ କିଛିମାସ ଧରି ସ୍ଥିର ରହିଛି ବୋଲି ମନ୍ତ୍ରୀ ପୁରୀ ସ୍ପଷ୍ଟ କରିଛନ୍ତି ।