ଜେଟଲୀଙ୍କ ମୃତ୍ୟୁକୁ ବର୍ଷେ ପୁରିଲା, ଝୁରିଲେ ମୋଦି

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଗତବର୍ଷ ଅଗଷ୍ଟ ୨୪ ତାରିଖରେ ସେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଆଜି ତାଙ୍କ ମୃତ୍ୟୁକୁ ବର୍ଷେ ପୁରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବନ୍ଧୁଙ୍କୁ ମନେ ପକାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ଲେଖିଛନ୍ତି, ‘ଗତବର୍ଷ ଏହି ଦିନ ଆମେ ଶ୍ରୀ ଅରୁଣ ଜେଟଲୀଙ୍କୁ ହରାଇଲେ। ମୋ ବନ୍ଧୁଙ୍କୁ ମୁଁ ବହୁତ ଝୁରୁଛି। ଅରୁଣ ଜୀ ବେଶ ଯତ୍ନ ସହକାରେ ଭାରତର ସେବା କରିଛନ୍ତି। ତାଙ୍କର ଚତୁରତା, ବୁଦ୍ଧି, ଆଇନଗତ ତୀବ୍ରତା ଏବଂ ଉଷ୍ମ ବ୍ୟକ୍ତିତ୍ୱ କିମ୍ବଦନ୍ତୀ ଥିଲା’। ଏଥିସହ ପ୍ରଧାନମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ମୃତି ଚାରଣ ସଭାରେ ରଖିଥିବା ନିଜର ବକ୍ତବ୍ୟର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ମଧ୍ୟ ଅରୁଣ ଜେଟଲୀଙ୍କୁ ମନେ ପକାଇଛନ୍ତି। ‘ଆଜି ବି ତାଙ୍କ ମୃତ୍ୟୁକୁ ସ୍ୱୀକାର କରିହେଉନି। ମନର ଶୂନ୍ୟତାରେ ଅରୁଣ ଜୀଙ୍କ ସ୍ମୃତି ହିଁ କେବଳ ବାସ କରୁଛି’। ସେ ଅରୁଣ ଜେଟଲୀଙ୍କୁ ଜଣେ ଭଲ ବକ୍ତା, ଆଇନର ଗଭୀର ଜ୍ଞାତା ଓ ସଂସଦୀୟ ମର୍ଯ୍ୟାଦା ପ୍ରତି ଆସ୍ଥା ରଖୁଥିବା ଉତ୍କୃଷ୍ଟ ସାଂସଦ ବୋଲି କହିଛନ୍ତି। ସଫଳତାର ସହ ଦେଶରେ ଜିଏସଟି ଲାଗୁ କରି ସେ ଅପ୍ରତିମ ଉଦାହରଣ ରଖିଥିବା ଲେଖିଛନ୍ତି ଉପରାଷ୍ଟ୍ରପତି।

ଭାରତୀୟ ରାଜନୀତିରେ ଅରୁଣ ଜେଟଲୀଙ୍କ ସମ ସାମୟିକ କେହି ନାହିଁ ବୋଲି ଲେଖି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ‘ସେ ବହୁମୁଖୀ ଏବଂ ବନ୍ଧୁମାନଙ୍କର ଜଣେ ବନ୍ଧୁ ଥିଲେ। ଯିଏ ସର୍ବଦା ତାଙ୍କର ଗୌରବମୟ ଉତ୍ତରଦାୟିତ୍ୱ, ପରିବର୍ତ୍ତନଶୀଳ ଦୃଷ୍ଟିକୋଣ ଏବଂ ରାଷ୍ଟ୍ର ପ୍ରତି ଭକ୍ତି ପାଇଁ ସର୍ବଦା ସ୍ମରଣୀୟ ରହିବେ’ |