ନୂଆ ଲଘୁଚାପ ସୃଷ୍ଟି, ଚାରିଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜି ସକାଳେ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜିଠୁ ଲଗାତାର ଚାରିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ, ବିଡିଓ ଏବଂ ତହସିଲଦାର ମାନଙ୍କୁ ସତର୍କ କରାଇଛନ୍ତି ଏସଆରସି।

ବିଶେଷ କରି ଉପକୂଳ, ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଭୟ ରହିଛି। ବାକି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୮ ତାରିଖ ପର୍ଯ୍ୟନ୍ତ ପାଣିପାଗ ଏଭଳି ରହିବା ନେଇ କୁହାଯାଇଛି। ଇତିମଧ୍ୟରେ ରାଜ୍ୟର ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ପାଇଁ ଆଲର୍ଟ ଜାରି କରିଛନ୍ତି। ଏଥିସହ ବିଡିଓ, ତହସିଲଦାରଙ୍କ ଠାରୁ ଆରମ୍ଭ କରି ଅଗ୍ନିଶମ ବିଭାଗ, ଓଡ୍ରାଫ୍, ଏନଡିଆରଏଫ୍କୁ ସଜାଗ କରିଛନ୍ତି। ଏଥିସହ ପୂର୍ତ୍ତ, ନଗର ଉନ୍ନୟନ, ଡ୍ରେନେଜ, ଜଳସମ୍ପଦ. ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ଅବସ୍ଥା ଦେଖି ତତ୍କାଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଉତ୍ତର ବଙ୍ଗୋପସାଗର ମୁଣ୍ଡରେ ସୃଷ୍ଟି ଏହି ଲଘୁଚାପ ଆସନ୍ତାକାଲି ଆହୁରି ଘନିଭୁତ ହେବାସହ ସ୍ପଷ୍ଟଭାବେ ନଜର ଆସିବ। ପଶ୍ଚିମକୁ ଗତିକରି ଏହା ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ରହିବ। ପରେ ୨୭ ତାରିଖ ବେଳକୁ ଏହା ବିହାର, ଉତ୍ତର ପ୍ରଦେଶ ଆଡ଼କୁ ମୁହାଁଇବ।