ତୃତୀୟ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବେ ସରକାର

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସରକାର ତୃତୀୟ ପ୍ରୋତ୍ସାହନ ପ୍ୟାକେଜ ପ୍ରସ୍ତୁତି କରୁଛନ୍ତି। ସରକାର ଏହି ପ୍ୟାକେଜରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଲାଭକୁ ଆସନ୍ତା ବର୍ଷ ମାର୍ଚ୍ଚ ଯାଏଁ ବୃଦ୍ଧି କରିପାରନ୍ତି। କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ପାଇଁ ଏହି ଯୋଜନା ଅବଧି ବଢାଇବାକୁ ଯୋଜନା କରୁଛନ୍ତି।

ସୂଚନା ଅନୁସାରେ ଦେଶର ଗରିବ ଜନତାଙ୍କୁ କରୋନା ପ୍ରଭାବରୁ ରକ୍ଷା କରିବାକୁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାର୍ଚ୍ଚ ମାସରେ ଘୋଷଣା କରିଥିଲେ। ପ୍ରଥମେ ଏହି ଯୋଜନା ଜୁନ ମାସ ଯାଏଁ ଲାଗୁ କରାଯାଇଥିଲା। କିନ୍ତୁ ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନାକୁ ନଭେମ୍ବର ଯାଏଁ ବୃଦ୍ଧି କରିଥିଲେ। ବର୍ତ୍ତମାନ ପୁଣି ସରକାର ଏହି ଯୋଜନା ଅବଧିକୁ ମାର୍ଚ୍ଚ ମାସ ଯାଏଁ ବଢ଼ାଇ ପାରନ୍ତି।

ଲାଇଭମିଣ୍ଟ ଖବର ଅନୁଯାୟୀ, ଏହି ଯୋଜନାରେ ସରକାର କ୍ୟାସ ସହ ରାସନ ଦେବା ସମୟସୀମା ମଧ୍ୟ ବଢ଼ାଇ ପାରନ୍ତି। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ପ୍ରୋତ୍ସାହନ ପ୍ୟାକେଜ ୩.୦ ରେ ଚାହିଦା ବଢାଇବା ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରୁଥିବା ଉପାୟରେ ଫୋକସ କରାଯାଇଛି। ରିପୋର୍ଟ ଅନୁଯାୟୀ, ତୃତୀୟ ପ୍ରୋତ୍ସାହନ ପ୍ୟାକେଜରେ ସରକାର ୨୦ କୋଟି ଜନଧନ ଖାତା ଓ ୩ କୋଟି ଗରିବ ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗଙ୍କୁ କ୍ୟାସ ଟ୍ରାନ୍ସଫର ଯୋଜନାକୁ ସାମିଲ କରିଛନ୍ତି।