ମେଘାଳୟରେ ପୁଲିସ ଫାୟାରିଂ, ୬ ଜଣଙ୍କ ପ୍ରାଣହାନି

ଉଭୟ ରାଜ୍ୟର ଗୃହ ବିଭାଗ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି…

ଶିଲଂ: ମଙ୍ଗଳବାର ସକାଳେ ଆସାମ-ମେଘାଳୟ ସୀମା ଅଂଚଳରେ ପୁଲିସ ଗୁଳିରେ ଜଣେ ବନ ଅଧିକାରୀଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି । ଦୁଇଟି ରାଜ୍ୟ ସୀମାନ୍ତରେ ମୁତୟନ ପୁଲିସ ଗୋଟିଏ ଚୋରାକାଠ ବୋଝେଇ ଟ୍ରକକୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା । ଫଳରେ କାଠମାଫିଆଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ବଡ଼ ଧରଣର ସଂଘର୍ଷର ସୂତ୍ରପାତ ଘଟିଲା ।

ହିଂସାକାଣ୍ଡ ପରେ ମେଘାଳୟର ଗୃହ ବିଭାଗ ପକ୍ଷରୁ ଆଜି ସକାଳ ସାଢେ଼ ଦଶଟାରୁ ସାତୋଟି ଜିଲ୍ଲାରେ ମୋବାଇଲ୍‌ ଓ ଇଂଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି । ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମା କହିଛନ୍ତି ଯେ ଦୁଇଟି ରାଜ୍ୟର ସୀମା ଅନ୍ତର୍ଗତ ପଶ୍ଚିମ ଜୟନ୍ତିଆ ପାହାଡ଼ିଆ ଇଲାକା ମୁକରୋହରେ ଗୁଳିକାଣ୍ଡ ଘଟିଛି । ଉଭୟ ରାଜ୍ୟର ଗୃହ ବିଭାଗ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।