ହିମାଚଳ ପ୍ରଦେଶ ଉନ୍ନା-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଏହି ଟ୍ରେନ ପ୍ରବର୍ତ୍ତନ ଫଳରେ ପର୍ଯ୍ୟଟନ ବୃଦ୍ଧି ସହ ଆରାମଦାୟକ ଓ ଦ୍ରୁତ ଯାତ୍ରା ମଧ୍ୟ ସମ୍ଭବ ହେବ……

ପିଆଇବି ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୧୦-୨୦୨୨) ହିମାଚଳ ପ୍ରଦେଶର ଅମ୍ବ ଅନଦୁରା, ଉନ୍ନା-ନୂଆଦିଲ୍ଲୀ ନୂତନ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଡବାଗୁଡିକ ନିରୀକ୍ଷଣ କରିବା ସହ ଯାତ୍ରା ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ଶ୍ରୀ ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସ ଲୋକମୋଟିଭ ଇଞ୍ଜିନ ନିୟନ୍ତ୍ରଣ କେନ୍ଦ୍ର ଓ ଉନ୍ନା ରେଳଷ୍ଟେସନ ମଧ୍ୟ ନିରୀକ୍ଷଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର, ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ ।

ଏହି ଟ୍ରେନ ପ୍ରବର୍ତ୍ତନ ଫଳରେ ପର୍ଯ୍ୟଟନ ବୃଦ୍ଧି ସହ ଆରାମଦାୟକ ଓ ଦ୍ରୁତ ଯାତ୍ରା ମଧ୍ୟ ସମ୍ଭବ ହେବ । ଉନ୍ନାରୁ ନୂଆଦିଲ୍ଲୀ ଯାତ୍ରା ସମୟ ମଧ୍ୟ ଦୁଇଘଣ୍ଟା ହ୍ରାସ ପାଇବ । ଅମ୍ବ ଅନଦୁରାରୁ ନୂଆଦିଲ୍ଲୀ ମଧ୍ୟରେ ଯାତ୍ରା କରୁଥିବା ଏହା ଦେଶର ଚତୁର୍ଥ ବନ୍ଦେ ଭାରତ ଟ୍ରେନ । ଅନ୍ୟ ଟ୍ରେନ ତୁଳନାରେ ଏହା ହାଲୁକା ଓ କମ୍ ସମୟ ମଧ୍ୟରେ ଦ୍ରୁତଗତିରେ ଯାତ୍ରା କରିପାରିବ । ବନ୍ଦେ ଭାରତ ୨.୦ରେ ଅତ୍ୟାଧୁନିକ ଯାନ୍ତ୍ରିକ ବୈଶିଷ୍ଟ୍ୟ ରହିଛି । ଏହା ମାତ୍ର ୫୨ ସେକେଣ୍ଡରେ ଶୂନ୍ୟରୁ ଶହେ କିଲୋମିଟର ଧରି ପାରୁଥିବା ବେଳେ ଏହାର ଘଣ୍ଟାପ୍ରତି ସର୍ବାଧିକ ବେଗ ୧୮୦ କିଲୋମିଟର ରହିଛି ।

ଏହି ଉନ୍ନତ ବନ୍ଦେ ଭାରତ ଏକ୍ସପ୍ରେସ ଓଜନ ୩୯୨ ଟନ ହୋଇଥିବାବେଳେ ଏହାର ପୂର୍ବ ଢାଞ୍ଚା ୪୩୦ଟନ ଥିଲା । ଆବଶ୍ୟକ ମୁତାବକ ଏଥିରେ ୱାଇ-ଫାଇ ସୁବିଧା ଉପଲବ୍ଧ ହେବ । ପ୍ରତ୍ୟେକ ଟିବାରେ ୩୨ଇଞ୍ଚ ପରଦା ଯାତ୍ରୀମାନଙ୍କୁ ସୂଚନା ଓ ମନୋରଞ୍ଜନ ଖୋରାକ୍ ଯୋଗାଇବ । ପୂର୍ବ ମଡେଲ ଟ୍ରେନରେ ଏହା ୨୪ଇଞ୍ଚ ଥିଲା । ବନ୍ଦେ ଭାରତ ଏହାର ଏସି ପଦ୍ଧତି ଯୋଗୁଁ ଅଧିକ ପରିବେଶ ଅନୁକୂଳ । ଧୂଳି ବିହୀନ ଏହି ଟ୍ରେନରେ ଯାତ୍ରା ଅଧିକ ଆରାମଦାୟକ । ଆଗରୁ ସମ୍ପୂର୍ଣ୍ଣ ଆଉଜି ହେବା ବ୍ୟବସ୍ଥ।। କେବଳ ଏକଜ୍ୟୁଟିଭ ଯାତ୍ରୀଙ୍କ ପାଇଁ ଥିବାବେଳେ, ଏହା ଏବେ ସବୁ ଶ୍ରେଣୀ ଯାତ୍ରୀଙ୍କ ପାଇଁ ଉପଲବ୍ଧ । ଏକଜ୍ୟୁଟିଭ ଶ୍ରେଣୀ ନିମନ୍ତେ ୧୮୦ ଡିଗ୍ରୀ ବୁଲି ଆଉଜିବା ବ୍ୟବସ୍ଥା ରହିଛି ।

ନୂତନ ପରିପାଟୀ ଯୁକ୍ତ ବନ୍ଦେ ଭାରତ ଏକ୍ସପ୍ରେସରେ ବାୟୁ ବିଶୋଧନର ବିଶେଷ ବ୍ୟବସ୍ଥା (ଫଟୋ କାଟାଲିକ୍ଟିକ ଅଲଟ୍ରା ଭାଓଲେଟ)ବାୟୁ ବିଶୋଧନ ପଦ୍ଧତି ରହିଛି । ରୁଫ ମାଉଣ୍ଟେଡ୍ ପ୍ୟାକେଜ ୟୁନିଟ୍ (ଆରଏମ୍‌ପିୟୁ)ରେ ଏହା ଖଞ୍ଜା ହୋଇଛି । କେନ୍ଦ୍ରୀୟ ବୈଜ୍ଞାନିକ ଯନ୍ତ୍ରପାତି ସଂଗଠନ(ସିଏସଆଇଓ) ସୁପାରିସ ଅନୁସାରେ (ଆରଏମପିୟୁ)ରେ ଖଞ୍ଜା ହୋଇଥିବା ଏହି ପଦ୍ଧତି ଯୋଗଁ କୋଚକୁ ଜୀବାଣୁ, ବିଜାଣୁ ଓ ଭୂତାଣୁ ଇତ୍ୟାଦି କବଳରୁ ମୁକ୍ତ ରଖିବ । ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ବିମାନ ଉଡାଣ ଯାତ୍ରାର ଆନନ୍ଦ ଦେବ । ଏଥିରେ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ସହ ସ୍ୱଦେଶୀ ଢାଞ୍ଚାରେ ନିର୍ମିତ ସଂଘର୍ଷ ନିରୋଧୀ ପଦ୍ଧତି-କବଚ ବ୍ୟବସ୍ଥା ମଧ୍ୟ ରହିଛି ।