ମନ୍ଦିର କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପଠାଇଲେ ଜୋତା

ନୂଆଦିଲ୍ଲୀ : କାଶୀକୁ ସ୍ୱଚ୍ଛ ରଖୁଥିବା କର୍ମୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ଯୋଡା ଜୋତା ପଠାଇଛନ୍ତି । ଏହି ଉପହାର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନଯୋଗ୍ୟ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ କାଶୀ କରିଡରର ଉଦଘାଟନ କରିବାକୁ ଯାଇଥିଲେ । ସେତେବେଳେ ସେ ଜାଣିବାକୁ ପାଇଲେ ଯେ କାଶୀ ପରିସରରେ ଚମଡା ଜୋତା ପିନ୍ଧିବା ନିଷେଧ, କିନ୍ତୁ ସେହି ସମୟ ମଧ୍ୟରେ ସେଠାରେ ଥିବା ସମସ୍ତ ମନ୍ଦିର କର୍ମଚାରୀ ଖାଲି ପାଦରେ ମନ୍ଦିର ସେବା କରୁଥିବା ଦେଖାଯାଇଥିଲା ।

ତେଣୁ ପ୍ରଧାନମନ୍ତ୍ରୀ ସେମାନଙ୍କ ପାଇଁ ଜୋତା ପଠାଇଛନ୍ତି । ସମସ୍ତ ମନ୍ଦିର କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କଠାରୁ ଉପହାର ପାଇବା ପରେ ବହୁତ ଖୁସି ଅଛନ୍ତି ଏବଂ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଣିକି ସମସ୍ତ ମନ୍ଦିର କର୍ମଚାରୀ ଝୋଟରେ ନିର୍ମିତ ଏହି ଜୋତା ପିନ୍ଧି ମନ୍ଦିର ପରିସରରେ କାମ କରିବେ । ମନ୍ଦିର ପରିସରରେ ପୁରୋହିତ, ସେବକ, ସୁରକ୍ଷାକର୍ମୀ, ପରିମଳ କର୍ମଚାରୀ ଏବଂ ଅନ୍ୟମାନଙ୍କ ଲାଗି ପ୍ରଧାନମନ୍ତ୍ରୀ ଝୋଟ ଜୋତା ଅର୍ଡର କରିଥିଲେ । ପ୍ରବଳ ଥଣ୍ଡାରେ ମଧ୍ୟ ମନ୍ଦିର କର୍ମଚାରୀମାନେ ଖାଲିପାଦରେ କାମ କରୁଥିଲେ । ଏବେ ସେମାନଙ୍କୁ ଝୋଟ ଜୋତା ସୁରକ୍ଷା ଦେବ ବୋଲି ମନ୍ଦିର କର୍ମଚାରୀମାନେ କହିଛନ୍ତି ।