ସବୁଠାରୁ ଅଧିକ ଖୋଜାଯାଇଥିବା ରାଜନେତାଙ୍କ ସୂଚୀର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ୟାହୁ ଭାରତ ପାଇଁ ନିଜର ୨୦୨୧ ଇୟର ଇନ ରିଭ୍ୟୁ ବାବଦରେ ଘୋଷଣା କରିଛି । ଭାରତୀୟ ଇଣ୍ଟରନେଟ ୟୁଜର୍ସମାନେ ଚଳିତ ବର୍ଷ ସବୁଠାରୁ କେଉଁମାନଙ୍କୁ ଅଧିକ ଖୋଜିଥିଲେ ତାହା ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା । ୨୦୨୧ ଇୟର ଇନ ରିଭ୍ୟୁ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତରେ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି । ଆଜି ମଧ୍ୟ ଇଣ୍ଟରନେଟରେ ତାଙ୍କୁ ଅଧିକ ଖୋଜାଯାଉଛି ।

ଏହା ପରେ କ୍ରିକେଟର ବିରାଟ କୋହଲିଙ୍କ ସଂଖ୍ୟା ଆସୁଛି । ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃତୀୟ ସ୍ଥାନରେ ଥିବାବେଳେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ସେହିପରି ଟପ ନ୍ୟୁଜମେକର କାଟାଗୋରୀରେ କୃଷକ ଆନ୍ଦୋଳନ ପ୍ରଥମ ସ୍ଥାନରେ ଥିବାବେଳେ ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ମଧ୍ୟ ବହୁତ ଥର ଖୋଜାଯାଇଛି । ସେ ଏହି କାଟାଗୋରୀରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୨୦୨୧ର ବଜେଟ, ରାଜ କୁନ୍ଦ୍ରା ଏବଂ ବ୍ଲାକ୍‌ ଫଙ୍ଗସ୍‌ ଏହି ବର୍ଗରେ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ।

ସେହିପରି ସବୁଠାରୁ ଅଧିକ ଥର ଖୋଜାଯାଇଥିବା ଅଭିନେତାଙ୍କ ତାଲିକାରେ ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସଲମାନ ଖାନ ଦ୍ୱିତୀୟ ଓ ଅଲୁ ଅର୍ଜୁନ ତୃତୀୟ ସ୍ଥାନରେ ଅଛନ୍ତି । ସୂଚନାଥାଉ କି ସବୁଠାରୁ ଅଧିକ ଖୋଜାଯାଇଥିବା ରାଜନେତାଙ୍କ ତାଲିକାରେ ନରେନ୍ଦ୍ର ମୋଦୀ ୧ ନମ୍ବରରେ ଥିବାବେଳେ ମମତା ବାନାର୍ଜୀ ଦ୍ୱିତୀୟ, ରାହୁଲ ଗାନ୍ଧୀ ତୃତୀୟ ଏବଂ ଅରବିନ୍ଦ କେଜ୍ରିୱାଲ ଚତୁର୍ଥ ସ୍ଥାନରେ ରହିଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଞ୍ଚମ ସ୍ଥାନରେ ଅଛନ୍ତି ।