ଭାରତ ଯୋଡୁଥିଲେ ରାହୁଲ, ବାଜିଲା ଚଟକଣା

କଂଗ୍ରେସ ବିରୋଧରେ ଅଦାଲତକୁ ଯାଇଥିଲା କେଜିଏଫ୍‌ ଗ୍ରୁପ….

ବେଙ୍ଗାଲୁରୁ: କଂଗ୍ରେସର ‘ଭାରତ ଯୋଡେ଼ା’ ଅଭିଯାନକୁ ଶକ୍ତ ଝଟ୍‌କା ବାଜିଛି । ଅଖଣ୍ଡ ଭାରତକୁ ବିଭାଜନ କରିବାର କଳଙ୍କରୁ ବଂଶକୁ ଉଦ୍ଧାର କରିବା ପାଇଁ ବାଟ ତିଆରି କରୁଥିଲେ ବାବୁ ରାହୁଲ । ହେଲେ ବେଙ୍ଗାଲୁରୁ କୋର୍ଟ ତାହା କରାଇ ଦେଲେନି । କଂଗ୍ରେସ ‘ଭାରତ ଯୋଡେ଼ା’ ଟ୍ୱିଟର୍‌କୁ ବନ୍ଦ କରିବା ପାଇଁ ବେଙ୍ଗାଲୁରୁ କୋର୍ଟ ଆଦେଶ ଦେଇଛନ୍ତି ।

କଂଗ୍ରେସ ବିରୋଧରେ ଆଗତ କପି ରାଇଟ୍‌ ଉଲ୍ଲଙ୍ଘନ ମାମଲାରୁ ବିଚାର କରି ବେଙ୍ଗାଲୁରୁ କୋର୍ଟ ଏପରି ଆଦେଶ ପ୍ରଦାନ କରିଛନ୍ତି । ଫଳରେ କଂଗ୍ରେସର ଭାରତ ଯୋଡେ଼ା’ ଟ୍ୱିଟର୍‌ ଆକାଉଂଟ ବ୍ଲକ କରି ଦିଆଯାଇଛି । କଂଗ୍ରେସ ବିରୋଧରେ ଅଦାଲତକୁ ଯାଇଥିଲା କେଜିଏଫ୍‌ ଗ୍ରୁପ ।

ଭାରତ ଯୋଡେ଼ା’ ମାର୍କେଟିଙ୍ଗ ଭିଡିଓରେ କେଜିଏଫ୍‌ ଚଳଚ୍ଚିତ୍ରର ଗୋଟିଏ ଗୀତକୁ କାଂଟଛାଂଟ କରାଯାଇଥିବା ଅଭିଯୋଗ କରାଯାଇଥିଲା । ପିଟିସନ୍‌ରେ ଅଭିଯୋଗକାରୀ ପ୍ରାର୍ଥନା କରିଥିଲେ, ଗୋଟିଏ ଜାତୀୟ ଦଳ ତା’ର ବ୍ୟବସାୟିକ ଫାଇଦା ପାଇଁ ଅନ୍ୟ ଗୋଟିଏ ବ୍ୟବସାୟିକ ସଂସ୍ଥାର ତଥ୍ୟକୁ ବ୍ୟବହାର କରୁଛି ଯାହା ସଂପୂର୍ଣ୍ଣ ବେଆଇନ ।

ଅଭିଯୁକ୍ତ ରାଜନୈତିକ ଦଳ ଶାସନ କ୍ଷମତାକୁ ଯିବା ପାଇଁ, ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଭାରତ ଯୋଡେ଼ା ଅଭିଯାନରେ ବାହାରି ବ୍ୟବସାୟିକ ସଂସ୍ଥାର ବିନା ଅନୁମତିରେ ତା’ର ମାଲିକାନାରେ ଥିବା ଗୀତକୁ ବ୍ୟବହାର କରିଛି । ଉକ୍ତ ଗୀତରେ ରାହୁଲ ଗାନ୍ଧୀ ନଜରକୁ ଆସିଛନ୍ତି ।

ସୂଚାଇ ଦିଆଯାଉଛି, କଂଗ୍ରେସ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା ଏମ୍‌ଆରଟି ମ୍ୟୁଜିକ୍‌ । ଏହି ସଂସ୍ଥା ନିକଟରେ କନ୍ନଡ଼, ହିନ୍ଦୀ, ତେଲୁଗୁ ଓ ତାମିଲ ସମେତ ବିଭିନ୍ନ ଭାଷାର ୨୦ ହଜାରରୁ ଅଧିକ ଗୀତର ମାଲିକାନା ରହିଛି । କେଜିଏଫ୍‌ ଚଳଚ୍ଚିତ୍ରର ଗୀତଗୁଡ଼ିକର କପି ରାଇଟ୍‌ସ ମଧ୍ୟ ଏମ୍‌ଆରଟି ପାଖରେ ରହିଛି । କଂଗ୍ରେସ ଏମ୍‌ଆରଟିର ଅନୁମତି ନନେଇ କେଜିଏଫ୍‌ ଚଳଚ୍ଚିତ୍ରର ଗୀତଟିକୁ ବ୍ୟବହାର କରିଥିଲା ।