ଜାଣନ୍ତୁ, ଅଜଣା ଗାଡ଼ି ଧକ୍କା ପାଇଁ ସରକାର ଦିଅନ୍ତି ୨ ଲକ୍ଷ

ସୋଲାସିୟମ ଫଣ୍ଡ ସଂପର୍କରେ ସବୁ ପୁଲିସ କର୍ମଚାରୀ ଓ ହସ୍ପିଟାଲ କର୍ମଚାରୀଙ୍କ ପାଖରେ ସୂଚନା….

ଭୁବନେଶ୍ୱର: ଅଜଣା ଗାଡ଼ି ଧକ୍କାରେ କେହି ମଲେ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ୨୦୧୮ ମେ’ ମାସରୁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଜରିଆରେ ସୋଲାସିୟମ ଫଣ୍ଡ ଗଠନ କରାଯାଇଛି । ଉକ୍ତ ଫଣ୍ଡରୁ ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ପଙ୍ଗୁ ଲୋକଙ୍କୁ ୫୦ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି ।

ଏ ସଂପର୍କିତ ଆବେଦନ ଫର୍ମ ସବୁ ଥାନା ଓ ସବୁ ପରିବହନ କାର୍ଯ୍ୟାଳୟରେ ବିନା ମୂଲ୍ୟରେ ମିଳୁଛି । ସୋଲାସିୟମ ଫଣ୍ଡ ସଂପର୍କରେ ସବୁ ପୁଲିସ କର୍ମଚାରୀ ଓ ହସ୍ପିଟାଲ କର୍ମଚାରୀଙ୍କ ପାଖରେ ସୂଚନା ଅଛି କି ନା’, ସେ ସଂପର୍କରେ ଏକ ସର୍ବେକ୍ଷଣ କରାଯାଇଥିଲା ଯାହାର ପରିଣାମରେ ୬୦ ପ୍ରତିଶତ ପୁଲିସ ଅଧିକାରୀ ଓ ୮୦ ପ୍ରତିଶତ ଡାକ୍ତରଖାନା କର୍ମଚାରୀଙ୍କ ନିକଟରେ ଉକ୍ତ ଫଣ୍ଡ ଥିବାର ସୂଚନା ମିଳିଲାନି । ଆରପିଡି ସଂସ୍ଥା ତରଫରୁ କେବଳ ଭୁବନେଶ୍ୱରର ସବୁ ଥାନା ଓ ସବୁ ଡାକ୍ତରଖାନାର କର୍ମଚାରୀଙ୍କୁ ସର୍ବେକ୍ଷଣ ପରିସରଭୁକ୍ତ କରାଯାଇଥିଲା ।