ହରିହର ମିଳନ: ସୃଷ୍ଟି ପାଳନ ଦାୟିତ୍ୱ ନେଲେ ଭଗବାନ ବିଷ୍ଣୁ

ଉକ୍ତ ପରମ୍ପରାକୁ ଚଳିତ ବର୍ଷ ମଧ୍ୟ ପାଳନ କରାଯାଇଛି…..

ଦେବ ଏକାଦଶୀ ଦିନ ଭଗବାନ ନାରାୟଣଙ୍କ ଯୋଗନିଦ୍ରା ଭଙ୍ଗ ହୋଇଥାଏ । ଚାରିଦିନ ପରେ ଅର୍ଥାତ୍‌ ବୈକୁଣ୍ଠ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ଭଗବାନ ବିଷ୍ଣୁଙ୍କ ନିକଟରେ ହାଜର ହୋଇ ସୃଷ୍ଟି ପାଳନ ଦାୟିତ୍ୱ ଅର୍ପଣ କରିଥାନ୍ତି । ଭଗବାନ ବିଷ୍ଣୁଙ୍କ ସହିତ ଭଗବାନ ଶିବ ଭେଟକୁ ହରି-ହର ମିଳନ କୁହାଯାଏ । ସେହିଦିନ ଉଜ୍ଜୟିନୀର ମହାକାଳ ମନ୍ଦିରକୁ ସଜାଇ ଦିଆଯାଏ । ମହାକାଳ ମନ୍ଦିରରୁ ରାତି ୧୧ଟାରେ ପାଲିଙ୍କିରେ ଅବସ୍ଥାନ କରି ପ୍ରଭୁ ମହାଦେବ ବିରାଟ ପଟୁଆରରେ ଯାଇ ପହଂଚନ୍ତି ଗୋପାଳ ମନ୍ଦିରରେ ପ୍ରାୟ ୧୨ଟାରେ ।

ଭଗବାନ ମହାକାଳଙ୍କ ତରଫରୁ ପ୍ରଭୁ ଗୋପାଳଙ୍କ ବେଲପତ୍ର ଚଢ଼ା ଯାଇଥାଏ । ସେହିପରି ପ୍ରଭୁ ଗୋପାଳଙ୍କ ପକ୍ଷରୁ ମହାକାଳଙ୍କୁ ତୁଳସୀ ପତ୍ର ଚଢ଼ା ଯାଇଥାଏ । ଉକ୍ତ ପରମ୍ପରାକୁ ଚଳିତ ବର୍ଷ ମଧ୍ୟ ପାଳନ କରାଯାଇଛି । ଭଗବାନ ମହାକାଳ ତୁଳସୀ ମାଳା ଓ ଭଗବାନ ବିଷ୍ଣୁ ବେଲପତ୍ର ମାଳା ଧାରଣ କରିଥିଲେ । ହରିହର ମିଳନ ପରେ ମହାକାଳ ଆପଣା ମନ୍ଦିରକୁ ଫେରି ଯାଇଥିଲେ । ସାରା ବିଶ୍ୱରେ ଏକମାତ୍ର ପୀଠ ଉଜ୍ଜୟିନୀ ଯେଉଁଠି ହରିହର ମିଳନ ଉତ୍ସବ ପାଳିତ ହୋଇଥାଏ ।

ପୁରାଣ କଥା ଅନୁସାରେ ଆଷାଢ଼ ମାସ ଦେବଶୟନୀ ଏକାଦଶୀ ଦିନ ଭଗବାନ ବିଷ୍ଣୁ ବାବା ମହାକାଳଙ୍କୁ ସୃଷ୍ଟି ପାଳନ ଦାୟିତ୍ୱ ଅର୍ପଣ କରି ପାତାଳ ଲୋକ ଚାଲିଯାନ୍ତି । ଆଷାଢ଼ ଏକାଦଶୀରୁ କାର୍ତିକ ଏକାଦଶୀ ପର୍ଯ୍ୟନ୍ତ ସୃଷ୍ଟି ପାଳନ ଦାୟିତ୍ୱ ଭଗବାନ ଶିବ ତୁଲାଇଥାନ୍ତି । ଦେବ ପ୍ରବୋଧିନୀ ଏକାଦଶୀରେ ଚତୁର୍ମାସ ଯୋଗ ସମାପ୍ତ ହୋଇଥାଏ ।