କାର୍ତିକ ପୂର୍ଣ୍ଣିମା ଦିନ କାହିଁକି ପାଳନ କରନ୍ତି ଦେବ ଦୀପାବଳି

୮ ତାରିଖ ସକାଳ ୪ଟା ୧୯ ମିନିଟ୍‌ରୁ ଦେବପୂଜା….

ତ୍ରିପୁରାସୁର ଭୟରୁ ମୁକ୍ତି ପାଇବା ପାଇଁ ଦେବତା ଓ ଦେବୀମାନେ କାଶୀ ପୀଠରେ ପ୍ରତିଷ୍ଠିତ ଭଗବାନ ଶିବଙ୍କ ଶରଣାପନ୍ନ ହୋଇଥିଲେ । ଭଗବାନ ଶିବ କାର୍ତିକ ପୂର୍ଣ୍ଣିମା ଦିନ ତ୍ରିପୁରାସୁରକୁ ବଧ କରିଥିଲେ । ତ୍ରିପୁରାସୁର ମରିବା ଦେଖି ଦେବାଦେବୀମାନେ କାଶୀପୀଠରେ ଏକଜୁଟ ହୋଇ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ପବିତ୍ର ଗଙ୍ଗାନଦୀ କୂଳରେ ଦୀପଦାନ କରିଥିଲେ ।

ସେହିଦିନଠାରୁ କାର୍ତିକ ପୂର୍ଣ୍ଣିମା ଦିନଟିକୁ ଦେବ ଦୀପାବଳି ଭାବେ ପାଳନ କରାଯାଏ । କୁହାଯାଏ, ସେଦିନ ଦୀପଦାନ କରିବା ଫଳରେ ଯମ, ଶନି, ରାହୁ-କେତୁଙ୍କ ପ୍ରଭାବରୁ ମୁକ୍ତି ମିଳେ । ଦୀପାବଳି ଉତ୍ସବର ୧୫ ଦିନପରେ ଦେବ ଦୀପାବଳି ପାଳନ କରାଯାଏ ।

ଚଳିତ ବର୍ଷ ନଭେମ୍ବର ୭ ତାରିଖ ଦିନ ଦେବ ଦୀପାବଳି ପାଳନ କରିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଇଛନ୍ତି । କାର୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ନଭେମ୍ବର ୮ ବଦଳରେ ୭ ତାରିଖ ଦିନ ଦେବ ଦୀପାବଳି ପାଳନ କରାଯାଉଛି । ପୂର୍ଣ୍ଣିମା ତିଥି ୭ ତାରିଖ ଅପରାହ୍ଣ ୪ଟା ୧୯ରୁ ଆରମ୍ଭ କରି ୮ ତାରିଖ ଅପରାହ୍ଣ ୪ଟା ୧୯ ପର୍ଯ୍ୟନ୍ତ ରହୁଛି । ୮ ତାରିଖ ସକାଳ ୪ଟା ୧୯ ମିନିଟ୍‌ରୁ ଦେବପୂଜା ନିଷେଧ କାରଣରୁ ସେଦିନ ଦୀପଦାନ କରାଯିବନି । ତେଣୁ ୭ ତାରିଖ ଅପରାହ୍ଣ ୫ଟା ୧୪ ମିନିଟରୁ ସନ୍ଧ୍ୟା ସାଢେ଼ ୭ଟା ଭିତରେ ଦୀପଦାନ କରାଯିବ ।

ଶ୍ରଦ୍ଧାଳୁମାନେ ପତ୍ରଠୋଲା ଭିତରେ କୁଙ୍କୁମ, ହଳଦୀ, ଚନ୍ଦନ, ଅକ୍ଷତ, ଫୁଲ ଓ ଭୋଗ ରଖିବା ପରେ ସେଥିରେ ଦୀପଟିଏ ରଖନ୍ତି । ଉକ୍ତ ଠୋଲାକୁ ଧରି ଭଗବାନ ଶିବ ଓ ଇଷ୍ଟଦେବଙ୍କୁ ସ୍ମରଣ କରନ୍ତି । ଶ୍ରଦ୍ଧାରେ ନଦୀଜଳରେ ଭସାଇ ଦିଅନ୍ତି । ୮ ତାରିଖ ଚନ୍ଦ୍ରଗ୍ରହଣ ଶେଷ ପରେ ଲୋକମାନେ ଗାଧୁଆ ପାଧୁଆ ସାରି ନଦୀଜଳରେ ଦୀପଦାନ କରିପାରିବେ ।