‘ଭାରତ ଯୋଡେ଼ା ଯାତ୍ରା’ ତୀରରେ ଦୁଇଟି ଶିକାର କରିବେ ରାହୁଲ

କେନ୍ଦ୍ରରେ କଂଗ୍ରେସ ମେଂଟକୁ କ୍ଷମତାସୀନ କରିବା ରାହୁଲଙ୍କ ମୂଳ ଉଦ୍ଦେଶ୍ୟ….

ନୂଆଦିଲ୍ଲୀ: ‘ଭାରତ ଯୋଡେ଼ା ଯାତ୍ରା’ରୁ ଦୁଇଟି ଲାଭ ପାଇବା ଆଶାରେ ରାହୁଲ ଗାନ୍ଧୀ କିଛି ଅଣରାଜନୈତିକ ବ୍ୟକ୍ତିତ୍ୱଙ୍କୁ ସାଉଁଟିବାକୁ ଚେଷ୍ଟା କରୁଛନ୍ତି । ନେହୁରୁ-ଗାନ୍ଧୀ ପରିବାରକୁ ରାଜନୈତିକ ସମାଧି ଦେବା ପାଇଁ ବିଜେପି ଯଥାଶକ୍ତି ଉଦ୍ୟମ ଜାରି ରଖିଥିଲା ବେଳେ ସୋନିଆ ଗାନ୍ଧୀ ଚତୁରତାର ସହିତ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି । ରାହୁଲ ଗାନ୍ଧୀ ‘ଭାରତ ଯୋଡେ଼ା ଯାତ୍ରା’ ଜରିଆରେ କଂଗ୍ରେସକୁ ନୂଆ ଜୀବନ ଦେବାର ପ୍ରୟାସ ଚଳାଇଛନ୍ତି ।

ଏହି ଯାତ୍ରା କାଳରେ ସେ ବହୁ ପ୍ରତିଷ୍ଠିତ ବ୍ୟକ୍ତି, ଅଭିନେତା, ସାହିତ୍ୟିକ ଓ ଗୁଣୀଲୋକଙ୍କୁ ଭେଟୁଛନ୍ତି । ‘ନର୍ମଦା ବଚାଓ ଆନ୍ଦୋଳନ’ ନେତ୍ରୀ ମେଧା ପାଟକରଙ୍କ ସହିତ ରାହୁଲଙ୍କ ବାଟ ଚାଲିବାକୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ କଟାକ୍ଷ ଶୁଣି ମେଧା କେବଳ ଛୋଟ ହସଟିଏ ହସିଛନ୍ତି । ତାଙ୍କ ହସ ଭିତରେ ମୋଦୀ ନିଜକୁ ଆବିଷ୍କାର କରିବା ବେଳକୁ ଗୁଜରାଟ ନିର୍ବାଚନ ସରିଯାଇଥିବ । ଗୁଜରାଟ ନିର୍ବାଚନର ଫଳାଫଳ ପ୍ରତି ରାହୁଲ ଚିନ୍ତିତ ନୁହନ୍ତି ।

ଗୁଜରାଟକୁ ବିଜେପି ହାତରୁ ଛଡ଼ାଇନେବା କଂଗ୍ରେସର ପ୍ରଧାନ ଉଦ୍ଦେଶ୍ୟ ନୁହେଁ । କେନ୍ଦ୍ରରେ କଂଗ୍ରେସ ମେଂଟକୁ କ୍ଷମତାସୀନ କରିବା ରାହୁଲଙ୍କ ମୂଳ ଉଦ୍ଦେଶ୍ୟ । ତେଣୁ ଭାରତ ଯୋଡେ଼ା ଯାତ୍ରାରେ ସେଲିବ୍ରିଟିଙ୍କ ସାହଚର୍ଯ୍ୟ ଲାଭ କରି ରାହୁଲ ଭାରତବାସୀଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ ତାଙ୍କର ଭାରତ ଯୋଡେ଼ା ଯାତ୍ରା ବୈପ୍ଲବିକ ପରିବର୍ତନର ଅୟମାରମ୍ଭ ।

ଅଭିନେତ୍ରୀ ପୂଜା ଭଟ୍ଟ, ଅମୋଲ ପାଲେକର, ମୋନା ଆମ୍ବେଗାଓଁକର, ରିୟା ସେନ, ମେଧା ପାଟକର, ପ୍ରଶାନ୍ତ ଭୂଷଣ, ତୁଷାର ଗାନ୍ଧୀ, ରଶ୍ମୀ ଦେଶାଇ, ଗୌରୀ ଲଙ୍କେଶଙ୍କ ମା’ ଇନ୍ଦିରା ଓ ଭଉଣୀ କବିତା ଓ ରୋହିତ ଭେମୁଲାଙ୍କ ମା’ ରାଧିକା କ୍ରମେ ରାହୁଲଙ୍କ ଯାତ୍ରାର ଗୋଟିଏ ଗୋଟିଏ ଚର୍ଚ୍ଚିତ ଚେହେରା ।