ଅଫତାବଙ୍କ ବିରୋଧରେ ଥାନାକୁ ଯାଇଥିଲେ ଶ୍ରଦ୍ଧା

ଶ୍ରଦ୍ଧା ଚାହିଁଥିଲେ ଅଫତାବ କବଳରୁ ଖସି ପାରିଥାନ୍ତେ ଓ ସ୍ୱାଧୀନ ଭାବେ ରହି ପାରିଥାନ୍ତେ….

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ଯେ ତାଙ୍କର ଲିଭ-ଇନ୍‌-ପାର୍ଟନର ଅଫତାବ ପୁନାୱାଲାଙ୍କ ହାତରେ ଚଳିତ ମେ’ ମାସରେ ମୃତ୍ୟୁବରଣ କରିଥିବାର ସନ୍ଦେହ କରାଯାଉଛି, ୨୦୨୦ ନଭେମ୍ବର ମାସରେ ସେ ମହାରାଷ୍ଟ୍ର ତୁଲିଞ୍ଜ ପୁଲିସ ଷ୍ଟେସନରେ ଅଫତାବଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ଅଫତାବ ତାଙ୍କୁ ମାରଧର କରୁଛନ୍ତି, ଗାଳିଫଜିତ କରୁଛନ୍ତି, ମାରିଦେଇ ଖଣ୍ଡଖଣ୍ଡ କରିଦେବାର ଧମକ ଦେଉଛନ୍ତି । ଆଜି ମୁମ୍ବାଇ ପୁଲିସ ଏଭଳି ତଥ୍ୟ ପ୍ରଦାନ କରି ପୁଣି ସ୍ପଷ୍ଟ କରିଥିଲା ଯେ ପରେ ଶ୍ରଦ୍ଧା ଉକ୍ତ ଅଭିଯୋଗକୁ ଫେରାଇ ନେଇଥିଲେ ।

ଅଭିଯୋଗ ପତ୍ରରେ ଶ୍ରଦ୍ଧା ଉଲ୍ଲେଖ କରିଥିଲେ ଯେ ଅଫତାବଙ୍କ ବାପା ମା’ଙ୍କ ଜାଣତରେ ତାଙ୍କୁ ମାଡ଼ପିଟ କରାଯାଉଛି । ପୁଅର ଅମାନୁଷିକ କାଣ୍ଡ ସଂପର୍କରେ ପରିବାର ଲୋକେ ଜାଣନ୍ତି । ମାତ୍ର କେହି ସାମାନ୍ୟ ପାଟି ଫିଟାନ୍ତି ନାହିଁ । ଶ୍ରଦ୍ଧା ଏହା ମଧ୍ୟ ଲେଖିଥିଲେ ଯେ ଅଫତାବ ସହିତ ଗୋଟିଏ କ୍ଷଣ ରହିବାକୁ ତାଙ୍କର ଇଛା ନାହିଁ । ୨୦୨୦ ନଭେମ୍ବରରେ ଶ୍ରଦ୍ଧା ତାଙ୍କର କିଛି ସାଙ୍ଗ ସହିତ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ପରେ ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ ।

ମହାରାଷ୍ଟ୍ରରେ ଅଫତାବଙ୍କ ଆଚାର ବ୍ୟବହାର ସଂପର୍କରେ ଅବଗତ ଥାଇ ମଧ୍ୟ ଶ୍ରଦ୍ଧା ତାଙ୍କ ସହିତ ଦିଲ୍ଲୀ ଚାଲିଯିବା ଘଟଣାକୁ ଅଧିକାଂଶ ଲୋକ ହଜମ କରି ପାରୁନାହାନ୍ତି । ଶ୍ରଦ୍ଧା ଚାହିଁଥିଲେ ଅଫତାବ କବଳରୁ ଖସି ପାରିଥାନ୍ତେ ଓ ସ୍ୱାଧୀନ ଭାବେ ରହି ପାରିଥାନ୍ତେ । ମାତ୍ର ସେ ସାହସର ସହିତ ଅଫତାବ ଭଳି ଗୋଟିଏ ବିଷଧର ସର୍ପକୁ ବେକରେ ପକାଇ ଦିଲ୍ଲୀରେ ରହୁଥିଲେ ।