ଜେଲରୁ ମୁକୁଳିଲେ ରାଜୀବଙ୍କ ସବୁ ଦୋଷୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିôବା ସବୁ ଦୋଷୀଙ୍କୁ ଜେଲରୁ ଛାଡ଼ି ଦିଆଯାଇଛି । ଶୁକ୍ରବାର ସକାଳେ ସୁପ୍ରିମକୋର୍ଟ ଦୋଷୀ ନଳିନୀ ଓ ରବିଚନ୍ଦ୍ରନଙ୍କ ସମେତ ସବୁ ଦୋଷୀଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଆଦେଶ ପ୍ରଦାନ କରିଥିଲେ ।

କୋର୍ଟଙ୍କ ଆଦେଶ ପାଇବାର ଘଂଟାକ ପରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାମୀଙ୍କୁ ମୁକ୍ତ କରାଯାଇଥିଲା । ମେ’ ୧୮ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଅନ୍ୟତମ ଦୋଷୀ ପେରାରିବଲନଙ୍କୁ ମୁକ୍ତ କରିବା ପାଇଁ ଆଦେଶ ଦେଇଥିଲେ । ଅନ୍ୟ ସବୁ ଦୋଷୀମାନେ ଉକ୍ତ ଆଦେଶନାମାକୁ ଢାଲ କରି ଜେଲରୁ ମୁକୁଳିବା ପାଇଁ ସୁପ୍ରିମକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ନଳିନୀ ଓ ରବିଚନ୍ଦ୍ରନ ଜେଲରେ ୩୦ ବର୍ଷରୁ ଅଧିକ ସମୟ ବିତାଇ ସାରିଛନ୍ତି ।

ଜେଲରୁ ଖଲାସ ହେବାପରେ ନଳିନୀ ଏକ ଟିଭି ଚାନେଲକୁ କହିଥିଲେ, ମୁଁ ଆତଙ୍କବାଦୀ ନୁହେଁ । ଗତ ୩୨ ବର୍ଷ ଧରି ଜେଲ ଭିତରେ ସଂଘର୍ଷମୟ ଜୀବନ କାଟୁଥିଲି ।
ସୁପ୍ରିମକୋର୍ଟ ଦେଶବାସୀଙ୍କ ଭାବନାକୁ ଧ୍ୟାନ ଦେଲେନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ଅନ୍ୟ ପକ୍ଷରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାର ସବୁ ଦୋଷୀଙ୍କ ପ୍ରତି ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି । ଏଠାରେ ଜଣାଇ ଦେଉଛୁ ଯେ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଆସାମୀ ନଳିନୀଙ୍କୁ ସୋନିଆ ଗାନ୍ଧୀ କ୍ଷମା କରି ଦେଇଥିଲେ ।