ଅଣ୍ଡା ଛତୁଆ ନିଅ, ଗଛତଳେ ପାଠ ପଢ଼

ସବୁ ଗ୍ରାମକୁ ମିଳିନି ସୁଦୃଢ଼ ଅଙ୍ଗନୱାଡ଼ି

ଭୁବନେଶ୍ୱର: ନିରୀହ କୋମଳମତି ପିଲାମାନଙ୍କୁ ନିୟମିତ ଅଣ୍ଡା ଦିଆଯାଉଛି । ଛତୁଆ ଦିଆଯାଉଛି । ତେଣୁ ସବୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ନିଜସ୍ୱ ଗୃହ ନଦେଇ ତାଳିପକା କାମ ଜାରି ରଖିଛନ୍ତି ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକମାନେ ମଧ୍ୟ ସରକାରଙ୍କ ଉପରେ ଚାପ ପକାଇ ପିଲାଙ୍କ ସୁରକ୍ଷିତ ପାଠପଢ଼ା ପାଇଁ ଛାତଘର ବିଶିଷ୍ଟ ଅଙ୍ଗନୱାଡ଼ି ଚାହୁଁନାହାନ୍ତି । ଏବେ ମଧ୍ୟ ଓଡ଼ିଶାର ଅନେକ ଗ୍ରାମାଂଚଳରେ କୋମଳମତି ପିଲାମାନେ ଗଛତଳେ ବସି ‘ଅ ଆ’ ମଡ଼ାଉଛନ୍ତି । ପଣିକିଆ ବୋଲୁଛନ୍ତି । ‘ଡାମରା କାଉରେ ଡାମରା କାଉ’ ଗୀତ ଗାଉଛନ୍ତି ।

ଗ୍ରାମବାସୀମାନେ ତୁମ୍ବିତୋଫାନ କରୁନାହାନ୍ତି ତେଣୁ ଛାତଘର ବିଶିଷ୍ଟ ଅଙ୍ଗନୱାଡ଼ି କେନ୍ଦ୍ରର ଆବଶ୍ୟକତା ଅନୁଭବ କରୁନାହାନ୍ତି ସରକାର । ଅନେକ ଗ୍ରାମରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଅଙ୍ଗନବାଡ଼ି କେନ୍ଦ୍ର । ବିପଦଶଙ୍କୁଳ ଘରେ ପାଠ ପଢୁଛନ୍ତି ପିଲାମାନେ । ପିଲାଙ୍କ ସୁରକ୍ଷିତ ଜୀବନ ପ୍ରତି ଯଦି ଅଭିଭାବକ ଚିନ୍ତିତ ନୁହନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ପାଇଁ ପିଲାଙ୍କ କଥା ଚିନ୍ତା କରିବେ? ଛୋଟଛୋଟ କଥାରେ ମୁଣ୍ଡ ପୁରାଇଲେ ବିଦେଶରୁ ପୁଞ୍ଜିପତିଙ୍କୁ ଡାକି ସେମାନଙ୍କ ହାତରେ ଓଡ଼ିଶାର ଖଣି, ପାଣି, ଜମି, ବିଜୁଳି ବିତରଣ କରିବ କିଏ?

ବିଧାନସଭା ଓ ଲୋକସଭା ନିର୍ବାଚନକୁ ଆଉ ମାତ୍ର ୧୮ ମାସ ବାକି । ସେତିକି ସମୟ ଭିତରେ ଦଳ ପାଇଁ ଚାନ୍ଦା ସଂଗ୍ରହ ନକଲେ, ନିର୍ବାଚନ ବୈତରଣୀ ପାରି ହେବେ କେମିତି? ଏମିତି ଦରମରା ଅବସ୍ଥାରେ ରହିଛି ଆମ ଅଙ୍ଗନୱାଡ଼ି କେନ୍ଦ୍ର । ଭାତହାଣ୍ଣିରୁ ଗୋଟିଏ ଚିପିବା ଭଳି ଆମେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗକୁର ବ୍ଲକ ଭେଲୁଆ ପଂଚାୟତକୁ ନେଇଯାଉଛୁ । ପଂଚାୟତ ଅଧୀନସ୍ଥ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନେ ଗଛତଳେ ପାଠ ପଢୁଛନ୍ତି । କେତେକ ସ୍ଥାନରେ ପିଲାମାନେ ଲୋକଙ୍କ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ବର୍ଷା ହେବା ଦିନ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ । ପିଲାଙ୍କ ପାଇଁ ଗଛତଳେ ଅସୁରକ୍ଷିତ ଅବସ୍ଥାରେ ରୋଷେଇ କରାଯାଉଛି ।

୬୦ ବର୍ଷ ତଳେ ଗ୍ରାମାଂଚଳରେ ଥିଲା ଚାଟଶାଳୀ । ଅବଧାନେ ପାଠ ପଢ଼ାଉଥିଲେ । ସେଦିନର ଚାଟଶାଳୀ ସ୍ଥାନ ପୂରଣ କରିଛି ଅଙ୍ଗନୱାଡ଼ି କେନ୍ଦ୍ର । ଡୁନ୍‌ ସ୍କୁଲର ଛାତ୍ର ଅଙ୍ଗନୱାଡ଼ି କେନ୍ଦ୍ରର ବୈଶିଷ୍ଟ୍ୟ ଜାଣିବେ କେମିତି? ସେଦିନର ଅବଧାନେ ପିଲାଙ୍କ ହାତଟେକାକୁ ଅନାଇ ରହୁଥିଲେ । ମାତ୍ର ଆଜିର ଅଙ୍ଗନୱାଡ଼ି ଦିଦି ସରକାରଙ୍କଠାରୁ ଦରମା ପାଉଛନ୍ତି । କେବଳ ସେତିକି ନୁହେଁ, ସରକାରଙ୍କ ଛୋଟଛୋଟ କାମରେ ଆଗ ଅଙ୍ଗନୱାଡ଼ି ଦିଦିଙ୍କୁ ଡକାଯାଉଛି ।
ଝଙ୍କାଳିଆ ବରଗଛ ତଳେ ବସି ନବୀନ ପଟ୍ଟନାୟକ କେବେ ‘ବିଜୁ ଜନତା ଦଳ’ କହିବା ଅଭ୍ୟାସ କରିଛନ୍ତି । ଦୀର୍ଘ ୨୨ ବର୍ଷ ହେଲା ତାଙ୍କ ମୁହଁରୁ ‘ବିଜୁ ଜନତା ଦଲ’ ବା ‘ବିଜେଡି’ ଶବ୍ଦ ଶୁଣିବାକୁ ମିଳୁଛି । କିଛି ଲୋକ କହୁଛନ୍ତି, ନବୀନବାବୁ ବରଗଛ ତଳେ ବସି ପାଠ ପଢ଼ିବାର ମଜା ପାଇଥିବାରୁ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଛାତଘର ମଞ୍ଜୁର କରୁନାହାନ୍ତି । ପାଲା କେତେଦିନ ଚାଲୁଛି ଚାଲୁ । ବରଗଛରୁ ଡାଳ ଭାଙ୍ଗି କିଛି କୋମଳମତି ପିଲା ଖଣ୍ଡିଆ ଖାବରା ନହେଲେ ଲୋକମାନଙ୍କ ନିଦ ଭାଙ୍ଗିବନି । ବିରୋଧୀ ଦଳ ହୁଲସ୍ତୁଲ କରିବେନି କି କ୍ଷମତାସୀନ ଦଳର ଛୋଟବଡ଼ ହଳିଆଙ୍କ ନିଦ ଭାଜିବନି ।