ତୃତୀୟ ବିଶ୍ୱଯୁଦ୍ଧ ପାଇଁ ରାସ୍ତା ତିଆରି କରୁଛନ୍ତି ରୁଷ-ୟୁକ୍ରେନ୍‌

World War III

ଭୁବନେଶ୍ୱର: ରୁୂଷ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ଘରେ ପାଦ ଦେଇ ସାରିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଯୋଉଦିନ ପୁଟିନ-ଜିନପିଙ୍ଗ ଭେଟ; ସେହିଦିନ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଅତିଥି ହୋଇଥିଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା । ୟୁକ୍ରେନ-ରୁଷ ଲଢେ଼ଇକୁ ଏକବର୍ଷରୁ ଅଧିକ ସମୟ ବିତିଗଲାଣି । ଯୁଦ୍ଧ ଯେତିକି ଦିନ ଧରି ଲମ୍ବୁଛି; ବିଶ୍ୱ ରାଜନୈତିକ ପରିସ୍ଥିତି ସେତିକି ଗୋଳିଆ ହେଉଛି । ସାରା ଦୁନିଆର କୋଣ ଅନୁକୋଣ ଓ ପ୍ରତିକୋଣରେ ଥିବା ଛୋଟବଡ଼ ଦେଶଗୁଡ଼ିକ ଦିଗଭ୍ରଷ୍ଟ ହୋଇ ଦୁଇ ମହାଶକ୍ତିଙ୍କର ଗତିବିଧିକୁ ଅନାଇଛନ୍ତି । ପ୍ରବଳ ପ୍ରତାପୀ ଦେଶଗୁଡ଼ିକ ଭିତରୁ କିଛି ୟୁକ୍ରେନ ଆଡ଼କୁ ଢଳିଥିବା ବେଳେ କିଛି ରୁଷିଆକୁ ସମର୍ଥନ କରୁଛନ୍ତି ।

କିଛି ସପ୍ତାହ ତଳେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ ହଠାତ୍‌ ୟୁକ୍ରେନରେ ପହଂଚି ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ କରମର୍ଦ୍ଦନ କଲେ । ସାରା ବିଶ୍ୱ ବାଇଡେନଙ୍କ ସାହାସକୁ ଦେଖି ଚକିତ ହୋଇଗଲା । ଗୋଟିଏ କଥା ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ରୁଷିଆ ସହିତ ହାତ ମିଳାଇଥିବା ଦେଶଗୁଡ଼ିକ ଏକଚ୍ଛତ୍ରବାଦୀ ଶକ୍ତି । ଚୀନର ସି ଜିିନପିଙ୍ଗ, ଉତର କୋରିଆର କିମ୍‌ ଜୋଙ୍ଗ ଉନ୍‌ଙ୍କଠାରୁ ଆରମ୍ଭ କରି ଇରାନର ଅଲୀ ଖାମେନେଇ, ସାଉଦି ଆରବ ରାଜା ଅବଦୁଲ୍ଲା ଓ ସିରିଆ ରାଷ୍ଟ୍ରପତି ବସର ଅଲ ଅସଦ ପର୍ଯ୍ୟନ୍ତ ସମସ୍ତେ ଏକଚ୍ଛତ୍ରବାଦୀ ଶାସକ । ରୁଷ-ୟୁକ୍ରେନ ଲଢେ଼ଇ ଏତେମାତ୍ରାରେ ପ୍ରଭାବଶାଳୀ ଯେ ଶତ୍ରୁତାକୁ ପଛକୁ ପକାଇ ସାଉଦି ଆରବ ଓ ଇରାନ୍‌ ଏକାକାର ହୋଇଯାଇଛନ୍ତି ।

ବେଲାରୁଷ, ମାଲୀ, ସୁଡାନ, ଏରିଟ୍ରିୟା, କ୍ୟୁବା ଓ ନିକାରାଗୁଆ ଭଳି ନିରଙ୍କୁଶ ଶାସକଗଣ ରୁଷିଆକୁ ସମର୍ଥନ କରୁଛନ୍ତି । କିଛି ବିଶେଷଜ୍ଞ ରୁଷିଆ ଓ ତାକୁ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଏକଚ୍ଛତ୍ରବାଦୀ ଶାସକଙ୍କ ବହୁଦେଶୀୟ କମ୍ପାନୀ କହିବା ଆରମ୍ଭ କଲେଣି । ବିଶ୍ୱ ରାଜନୀତି ଏପରି ବିବାଦକୁ ଆମନ୍ତ୍ରଣ କଲାଣି ଯାହା ତୃତୀୟ ମହାସମର ପ୍ରତି ଆଶଙ୍କା ସୃଷ୍ଟି କଲାଣି । କେହିକେହି କହୁଛନ୍ତି ଯେ ତୃତୀୟ ମହାସମର ଏକଚ୍ଛତ୍ରବାଦୀ ଓ ଗଣତନ୍ତ୍ରବାଦୀ ଦେଶଗୁଡ଼ିକ ମଧ୍ୟରେ ହେବ । ରୁଷିଆ ମେଳି ଜିତିବା ଉପରେ ବିଶ୍ୱ ରାଜନୀତି ନିର୍ଭର କରୁଛି । ଏକଚ୍ଛତ୍ରବାଦୀ ଶାସକମାନେ ଭାବୁଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧାରେ ରୁଷିଆ ହାରିଯିବା ଅର୍ଥ ପୁଟିନ ହାରିଯିବା । ପୁଟିନ ହାରିଯିବା ଅର୍ଥ ଏକଚ୍ଛତ୍ରବାଦୀ ବା ସାମ୍ରାଜ୍ୟବାଦୀ ଶାସନର ଅନ୍ତ ହୋଇଯିବା । ଏକଚ୍ଛତ୍ରବାଦୀ ଶାସନ ଲୋପ ପାଇଗଲେ ଗଣତନ୍ତ୍ର ଶାସନର ପତିଆରା ବଢ଼ିଯିବ । ରୁଷିଆକୁ ସମର୍ଥନ କରୁଥିବା ଶାସକମାନେ ସେମାନଙ୍କ ରାଜ୍ୟରେ ମୁଣ୍ଡ ଟେକୁଥିବା ଜନ ଆନ୍ଦୋଳନକୁ ଦବାଇବା ପାଇଁ ପୁଟିନଙ୍କ ଘରୋଇ ସେନାବାହିନୀର ସହାୟତା ନେଉଛନ୍ତି । ପୁଟିନଙ୍କ ଘରୋଇ ସେନା କହିଲେ ରୁଷିଆର ଅର୍ଦ୍ଧସାମରିକ ବାହିନୀକୁ ବୁଝାଉଛି ।

ପୁଟିନଙ୍କ ଘରୋଇ ସେନାବାହିନୀ ମୁଣ୍ଡରେ ଆଫ୍ରିକା, ୟୁକ୍ରେନ ଓ ମଧ୍ୟପ୍ରାଚ୍ୟରେ ଏକାଧିକବାର ମାନବାଧିକାର ଉଲ୍ଲଙ୍ଘନ ଓ ଯୁଦ୍ଧ ଅପରାଧ କଳଙ୍କ ଲାଗିସାରିଛି । କେବଳ ପୁଟିନଙ୍କ ଅକୁଣ୍ଠ ସେନା ଓ ହତିଆର ସହାୟତାକୁ ପରିଶୋଧ କରିବା ପାଇଁ ସବୁ ଏକଚ୍ଛତ୍ରବାଦୀ ଶାସକମାନେ ତାଙ୍କ ପାଖରେ ଠିଆ ହୋଇନାହାନ୍ତି । ଗଣତନ୍ତ୍ର ଶାସନକୁ ଦୁର୍ବଳ କରିବା ପାଇଁ ସମସ୍ତେ ଏକଜୁଟ ହୋଇଛନ୍ତି । ଟୁନିସିଆର ଜନ ଆନ୍ଦୋଳନ ପରଠାରୁ ସବୁ ଏକଚ୍ଛତ୍ରବାଦୀ ଶାସକମାନେ ସଜାଗ ହୋଇଯାଇଛନ୍ତି ।

୨୦୧୦ ପ୍ରାରମ୍ଭରେ ମଧ୍ୟପ୍ରାଚ୍ୟର ଅନ୍ତର୍ଭୁକ୍ତ ଟୁନିସିଆର ଏକଚ୍ଛତ୍ରବାଦୀ ଶାସକ ବେନ ଅଲୀ ପ୍ରବଳ ଜନ ଆନ୍ଦୋଳନର ଶିକାର ହେଲେ । ଟୁନିସିଆର ଜନ ଆନ୍ଦୋଳନ କ୍ରମେ ଅନ୍ୟ ଦେଶଗୁଡ଼ିକୁ ଏଭଳି ବ୍ୟାପିଗଲା ଯେ ଦଶନ୍ଧି ଦଶନ୍ଧି ଧରି ନିରଙ୍କୁଶ ଶାସନ କରୁଥିବା ଟୁନିସିଆ ଶାସକ ବେନ ଅଲୀ, ଲିବିୟା ଶାସକ ମୁଅମ୍ମାର ଗଦ୍ଦାଫି, ୟେମେନ ଶାସକ ଅବଦୁଲ୍ଲା ସାଲେହ ଓ ମିଶର ଶାସକ ହୋସନୀ ମୁବାରକଙ୍କ ଏକଚ୍ଛତ୍ରବାଦୀ ଶାସନ ଲୋପ ପାଇଗଲା । ଟୁନିସିଆ ଜନବିଦ୍ରୋହ ମସ୍କୋକୁ ଗ୍ରାସ କରିବାକୁ ବସିଥିଲା । ୨୦୧୧ ରୁଷିଆ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା କଥା ନିର୍ବାଚନ କମିଶନ ମାନିଥିଲେ । ପୁଟିନଙ୍କ ବିରୋଧରେ ଜନ ଆନ୍ଦୋଳନ ମୁଣ୍ଡ ଟେକୁଥିଲା; କିନ୍ତୁ ପୁଟିନ ତାହାକୁ ପଶ୍ଚିମ ଦେଶଗୁଡ଼ିକର ଷଡ଼ଯନ୍ତ୍ର କହି ଜନ ଆନ୍ଦୋଳନକୁ କଠୋରତାର ସହ ଦମନ କରିଥିଲେ । ଏବେ ସିରିୟା, ଇରାନ ସମେତ ଚୀନ ମଧ୍ୟ ଭାବିବାକୁ ଲାଗିଛନ୍ତି ଯେ ଯଦି ପୁଟିନ ଦୁର୍ବଳ ପଡ଼ିଯାନ୍ତି ତେବେ ମସ୍କୋରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇଯିବ । ମସ୍କୋରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇଗଲେ ତାହା ଚୀନ, ସିରିୟା, ଇରାନ, ସାଉଦି ଆରବକୁ ପ୍ରଭାବିତ କରିବ ।