ଋଷର ପରମାଣୁ ‘ହାଇଆଲର୍ଟ’ରେ

ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ । ରୁଷ ସୈନିକ ୟୁକ୍ରେନର ରାଜଧାନୀ କିଭର ନିକଟତର ହୋଇଛନ୍ତି । ସେପଟେ ଯୁଦ୍ଧ ରୋକିବାକୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି । ସୂଚନା ଥାଉକି ୟୁକ୍ରେନ ରାଷ୍ଟ୍ରପତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମୀର ଜେଲେନସ୍କୀଙ୍କ କାର୍ଯ୍ୟାଳୟ ତରଫରୁ ଟେଲିଗ୍ରାମରେ କୁହାଯାଇଛି ଯେ ଉଭୟ ପକ୍ଷ ବେଲାରୁସର ସୀମାରେ କେଉଁଠି ଏକ ଅନିର୍ଦ୍ଦିଷ୍ଟ ସ୍ଥାନରେ ସାକ୍ଷାତ କରିବେ ।

ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର, ଋଷର ଶୀର୍ଷ ଅଧିକାରୀଙ୍କ ସହ ଅନୁଷ୍ଠିତ ଏକ ବୈଠକରେ ରାଷ୍ଟ୍ରପତି ପୁଟିନ୍‌ ରବିବାର କହିଛନ୍ତି ଯେ ଅଗ୍ରଣୀ ନାଟୋ ଶକ୍ତିମାନେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହିତ ମିଶି ଋଷ ବିରୋଧରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବା ସହିତ ଆକ୍ରମଣାତ୍ମକ ବିବୃତ୍ତି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପୁଟିନ୍‌ ଋଷର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନାମୁଖ୍ୟଙ୍କୁ ପରମାଣୁ ପ୍ରତିରୋଧକ ବାହିନୀକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୋଟିଏ ପଟେ ୟୁକ୍ରେନ ସହ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଅନ୍ୟପଟେ ଋଷୀୟ ପରମାଣୁ ବାହିନୀକୁ ହାଇଆଲର୍ଟରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ପୁଟିନ୍‌ ଋଷର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନାମୁଖ୍ୟଙ୍କୁ ପରମାଣୁ ବାହିନୀକୁ ‘ଯୁଦ୍ଧ ଲାଗି ସ୍ୱତନ୍ତ୍ର ପ୍ରସ୍ତୁତି’ରେ ରଖିବାକୁ ରବିବାର ନିର୍ଦ୍ଦେଶ ଦେଇଛନ୍ତି।

ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଉତ୍ତେଜନା ପରମାଣୁ ଅସ୍ତ୍ରବ୍ୟବହାରର କାରଣ ହୋଇପାରେ। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ୍‌ କହିଥିଲେ ଯେ ୟୁକ୍ରେନ ସଂଘର୍ଷରେ ଯିଏ ବି ହସ୍ତକ୍ଷେପ କରିବ, ତା’ ବିରୋଧରେ କଠୋର ପ୍ରତିଶୋଧ ନିଆଯିବ; ଯାହାକୁ କି ଇତିହାସ ମଧ୍ୟ କେବେ ଦେଖି ନଥିବ।