ଚୀନରେ କରୋନା ବିଭୀଷିକା ଦେଖି ଭାରତ ସଜାଗ

ଚୀନରେ କରୋନା ବିଭୀଷିକା ଦେଖିବା ପରେ କେନ୍ଦ୍ର ସରକାର …

ନୂଆଦିଲ୍ଲୀ: ଚୀନରେ କରୋନା ବିଭୀଷିକା ଦେଖିବା ପରେ କେନ୍ଦ୍ର ସରକାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଦେଶରେ କରୋନା ସ୍ଥିତି ଜାଣିବା ପାଇଁ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡାବିୟଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ଓ ଗବେଷକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଲୋଚ୍ୟ ବିଷୟବସ୍ତୁର ସାରାଂଶ ହେଉଛି, କରୋନା ଏବେସୁଦ୍ଧା ଖତମ ହୋଇନାହିଁ । ମାତ୍ର ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଭାରତ ତୟାର । ସବୁ ବର୍ଗର ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି ।

ବୈଠକ ଶେଷ ହେବା ପରେ ଜନଗହଳି ସ୍ଥାନରେ ମାସ୍କ ଧାରଣ ପାଇଁ ନୀତୀ ଆୟୋଗ ସଭ୍ୟ ଡକ୍ଟର ବିଜେ ପଲ ପରାମର୍ଶ ଦେଇଛନ୍ତି । ଜଟିଳ ରୋଗରେ ପୀଡ଼ିତ ଓ ବୟସ୍କ ଲୋକଙ୍କ ପକ୍ଷେ ମାସ୍କ ଧାରଣ ଜରୁରୀ । ମୋଟ ଜନସଂଖ୍ୟାର ୨୭% ବୁଷ୍ଟର ଡୋଜ୍‌ ନେଇଛନ୍ତି । ସବୁ ଲୋକ ବୁଷ୍ଟର ଡୋଜ୍‌ ନେବା ଜରୁରୀ ବୋଲି ସେ ଚେତାଇ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ କରୋନା ସନ୍ଦେଶକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କୁ ଜଣାଇ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ତା’ ସହିତ ପ୍ରତ୍ୟେକ କରୋନା ପୀଡ଼ିତଙ୍କ ନମୁନା ପଠାଇବା ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି । ଏପରି ଫଳରେ କରୋନାର ନୂଆ ଭାରିଏଂଟ ଜାଣିବା ସହଜ ହେବା ସହ ତା’ର ପ୍ରତିକାର ବ୍ୟବସ୍ଥା କରିହେବ । ଇତିମଧ୍ୟରେ ଚୀନ, ଜାପାନ, ଆମେରିକା, କୋରିଆ ଓ ବ୍ରାଜିଲରେ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇଲାଣି ।

ଚୀନରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାରରେ ଘୋର ଅବହେଳା ଦେଖାଦେଇଛି । ମଶାଣିରେ ସ୍ଥାନ ଅଭାବ କାରଣରୁ ବହୁ ମୃତଦେହ ଏଣେତେଣେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି ।
ଡିସେମ୍ବର ୨୦ ତାରିଖ ସକାଳ ୮ଟା ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୯୦ ଥିଲା । ଡିସେମ୍ବର ୧୯ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ସଂସଦକୁ ଜଣାଇଥିଲେ ଯେ ଭାରତରେ ଟୀକାକରଣ ସଂଖ୍ୟା ୨୨୦ କୋଟି ଅତିକ୍ରମ କରିଛି । ଏହି ସଂଖ୍ୟା କରୋନାର ପ୍ରଥମ, ଦ୍ୱିତୀୟ ଓ ପ୍ରିକସନ୍‌ ଡୋଜକୁ ମିଶାଇ ପ୍ରସ୍ତୁତ କରାଯାଇଛି । ଚୀନରେ କରୋନା ମାମଲା ବୃଦ୍ଧି ପାଉଥିବାର ଦେଖି ଟିଏମ୍‌ସି ସାଂସଦ କାକଳି ଘୋଷ ଆନ୍ତର୍ଜାତିକ ଉଡାଣ ରୋକିବାକୁ ଦାବି କରିଛନ୍ତି ।