ପଶ୍ଚିମବଙ୍ଗର ୬୦୪ ବୁଥରେ ସାନି ମତଦାନ

ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନ ସାଧାରଣ ନିର୍ବାଚନଠାରୁ କୌଣସି ଗୁଣରେ କମ୍‌ ନୁହେଁ ବୋଲି ପ୍ରତୀୟମାନ ହୋଇଛି । ପଂଚାୟତ ନିର୍ବାଚନରେ ଘଟିଥିବା ହିଂସାକାଣ୍ଡକୁ ପ୍ରାଥମିକତା ଦେଇ ରବିବାର ନିର୍ବାଚନ କମିଶନ ବଡ଼ ଧରଣର ନିଷ୍ପତି ନେଇଛନ୍ତି । ତଦନୁସାରେ ସୋମବାର ଆଜି ୬୦୪ଟି ବୁଥରେ ସାନି ମତଦାନ ଗ୍ରହଣ କରାଯିବ ।

ସୂଚନା ଅନୁଯାଇ, ଶନିବାର ଦିନ ୭୪ ହଜାର ପଂଚାୟତରେ ମତଦାନ ସମୟରେ ବୁଥଲୁଟ, ମାଡ଼ପିଟ ଓ ହିଂସାକାଣ୍ଡ ଘଟି ପ୍ରାୟ ୧୭ ଜଣ ମରିଛନ୍ତି । ହିଂସାକାଣ୍ଡର କେନ୍ଦ୍ର ମୁର୍ଶିଦାବାଦ, କୁଚବିହାର, ଉତର ଓ ଦକ୍ଷିଣ ୨୪ ପ୍ରଗଣା ଥିଲା । କ୍ଷୁବ୍ଧ ଲୋକମାନେ ବୁଥରୁ ବ୍ୟାଲଟ୍‌ ପେପର ସମେତ ଅନ୍ୟାନ୍ୟ ସାମଗ୍ରୀ ନେଇ ଜଳାଇ ଦେଇଛନ୍ତି । ଦକ୍ଷିଣ ଦିନାଜପୁରରେ ବ୍ୟାଲଟ୍‌ ପେପରକୁ ପାଣିରେ ପକାଇ ଦିଆଯାଇଛି । ହିଂସାକାଣ୍ଡର ଭୟ ଏ ଯାବତ ଲୋକଙ୍କ ମନରୁ ଯାଇନି ।

ପଂଚାୟତ ନିର୍ବାଚନରେ ସରକାରୀ ଦଳର ଗୁଣ୍ଡାମାନେ ସବୁଠାରୁ ବେଶି ରକ୍ତପାତ କରିଥିବା ସଂପର୍କରେ ବିଜେପି ରାଜ୍ୟ ନିର୍ବାଚନ କମିଶନକୁ ଚିଠି ଲେଖିଥିଲା । ବିଜେପି ଦ୍ୱିତୀୟବାର ପଂଚାୟତ ନିର୍ବାଚନ ଦାବି କରିଥିଲା । ମାତ୍ର କମିଶନ କେତୋଟି ବୁଥରେ ସାନି ମତଦାନ ପାଇଁ ଅନୁମତି ଦେଇଛନ୍ତି ।