ଦିଲ୍ଲୀ: ବିଦ୍ୟାଳୟକୁ ବନ୍ଦ କରିଦେଲା ବର୍ଷା

ପ୍ରବଳ ବର୍ଷା କାରଣରୁ ଦିଲ୍ଲୀର ସବୁ ସ୍କୁଲଗୁଡ଼ିକ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଦିଲ୍ଲୀ, ହିମାଚଳ, ପଞ୍ଜାବ ସମେତ ଉତର ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି । ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି । ୧୯୮୨ ପରେ ଜୁଲାଇରେ ଗୋଟିଏ ଦିନରେ ସବୁଠାରୁ ଅଧିକ ୧୫୩ ମିମି ବର୍ଷା ହୋଇଛି । ଏହା ପୂର୍ବରୁ ୧୯୮୨ ଜୁଲାଇ ୨୫ ତାରିଖରେ ୧୬୯.୯ ମିମି ବର୍ଷା ହୋଇଥିବାର ରେକର୍ଡ ଥିଲା । ୨୦୦୩ରେ ୨୪ ଘଂଟାରେ ୧୩୩.୪ ମିମି ବର୍ଷା ହୋଇଥିଲା । ୨୦୧୩ରେ ଦିଲ୍ଲୀରେ ୧୨୩.୪ ମିମି ବର୍ଷା ହୋଇଥିଲା । ହରିଆଣାରେ ଯମୁନାରେ ୧ ଲକ୍ଷ କ୍ୟୁସେକରୁ ଅଧିକ ଜଳ ଛଡ଼ାଯାଇଛି । ପରିଣାମ ସ୍ୱରୂପ ଦିଲ୍ଲୀ ସରକାର ବଢ଼ି ସତର୍କତା ଜାରି କରିଛନ୍ତି ।

ବର୍ଷା କାରଣରୁ ଜମ୍ମୁ-କଶ୍ମୀରର ପୁଂଛ ଅଂଚଳରେ ଦୁଇଜଣ ସେନା ଜବାନ ପୋଶାନା ନଦୀ ପାର ହେଉଥିବା ସମୟରେ ବୁଡ଼ି ଯାଇଛନ୍ତି । ମୋଗଲ ରୋଡ଼ରେ କାର ଓଲଟିବା କାରଣରୁ ତିନିଜଣ ପ୍ରାଣ ହରାଇଛନ୍ତି ଓ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଡୋଡାରେ ପ୍ରବଳ ବର୍ଷା କାରଣରୁ ପାହାଡ଼ ଧସି ବସ୍‌ ଉପରେ ପଡ଼ିବାରୁ ଦୁଇଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଦୁଇଜଣ ବସଯାତ୍ରୀ ଆହତ ହୋଇଛନ୍ତି ।

ହିମାଚଳ ପ୍ରଦେଶରେ ୫, ଜମ୍ମୁରେ ୨ ଓ ୟୁପିରେ ୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ହିମାଚଳରେ ବ୍ୟାସ ନଦୀରେ ବଢ଼ି ଆସିବାରୁ ବହୁତ କ୍ଷତି ହୋଇଛି । ଗୋଟିଏ ପୋଲ ଭାସିଯାଇଛି । କିଛି ଦୋକାନ ବଢ଼ିରେ ଭାସିଯାଇଛି । ବନ୍ୟାରେ ଫସିଥିବା ୫ ଜଣ ଲୋକଙ୍କୁ ଏନଡିଆରଏଫ୍‌ ଉଦ୍ଧାର କରିଛି ।